ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଇବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉପୁଜିଥିବା ବିବାଦ ପରେ ଆଜି ସିରିଡି ସହରରେ ବନ୍ଦ ପାଳନ କରାଯାଇଛି । ମାତ୍ର ଖୋଲା ରହିଛି ସାଇବାବାଙ୍କ ମନ୍ଦିର । ପୂର୍ବରୁ କୁହାଯାଉଥିଲା କି ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଇ ମନ୍ଦିର ବନ୍ଦ ହେବ, କିନ୍ତୁ ମନ୍ଦିର ବନ୍ଦ ହେବ ନାହିଁ ବୋଲି ଗତକାଲି ସିଇଓ ଘୋଷଣା କରିଥିଲେ ।
ମନ୍ଦିର କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ , ସିରିଡି ସହର ବନ୍ଦ ରହିବ ହେଲେ ମନ୍ଦିର ଖୋଲାଯିବ । କାରଣ ବାବାଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତ କୋଣ ଅନୁକୂଣରୁ ସିରିଡିକୁ ଧାଇଁ ଆସିଥାନ୍ତି । ଏହାକୁ ଦଷ୍ଟିରେ ରଖି ସାଇବାବାଙ୍କ ମନ୍ଦିର ଖୋଲା ରହିବାର ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ସାଇବାବାଙ୍କ ଜନ୍ମ ସ୍ଥାନ ଭାବେ ଘୋଷଣା କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । ଏହି ଗାଁର ବିକାଶ ପାଇଁ ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କା ଘୋଷଣା କରିବା ପରେ ଏବେ ସାଇବାବା ମନ୍ଦିରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏମିତିକି ସରକାରଙ୍କ ଏହି ଘୋଷଣାକୁ ଜୋରଦାର ବିରୋଧ କରିଛନ୍ତି ଶିରିଡି ଗ୍ରାମବାସୀ ।
ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ । ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦ ଏହା ପ୍ରଥମ ଥର ହୋଇନାହିଁ । ଏହାପୂର୍ବରୁ ବି ଏନେଇ ବିବାଦ ଉପୁଜିଛି ।