ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହି ଭାଇରସକୁ ମାତ୍ ଦେବା ପାଇଁ ବହୁତ ଶୀଘ୍ର ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହାସହିତ ଧାର୍ମିକ ସ୍ଥଳ ଗୁଡିକ ମଧ୍ୟ ଖୋଲିଗଲାଣି । କରୋନା କାଳର ଦୀର୍ଘ ୯ ମାସ ପରେ ମାତା ବୈଷ୍ଣୋ ଦେବୀ ଧାମରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । କ୍ୟାମ୍ପର ରେଜିଷ୍ଟ୍ରେସନ କାଉଣ୍ଟରରେ ତିନି ଦିନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।
ଡିସେମ୍ବର ୨୩ ରେ ୬୫୦୦ ରୁ ଅଧିକ ଭକ୍ତ ମାତାଙ୍କ ବିଶେଷ ପୂଜାର୍ଚ୍ଚନା କରିଥିବା ବେଳେ ଡିସେମ୍ବର ୨୫ରେ ମାତାଙ୍କ ନିକଟରେ ୧୦ ହଜାରରୁ ଅଧିକ ସଂଖ୍ୟକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା । ସେହିପରି କରୋନା କାଳ ମଧ୍ୟରେ ଡିସେମ୍ବର ୨୭ ରେ ୧୩ ହଜାର ଭକ୍ତ ମାତାଙ୍କୁ ଦର୍ଶନ କରିଛନ୍ତି । ସେପଟେ ମାତାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାର ଦେଖି ଟୁର ଅପରେଟର ଏବଂ ହୋଟେଲ ଇଣ୍ଡଷ୍ଟ୍ରୀ ଆଶା କରିଛନ୍ତି କି ବହୁତ ଶୀଘ୍ର ସବୁକିଛି ପୂର୍ବଭଳି ହୋଇଯିବ ।
କୋଭିଡ କଟକଣା ପାଇଁ ପ୍ରଥମେ ଅନଲାଇନ ରେଜିଷ୍ଟ୍ରେସନ ଦ୍ୱାରା ହିଁ ଯାତ୍ରା ପାଇଁ ଅନୁମତି ଦିଆଯାଉଥିଲା । ନଭେମ୍ବର ୧ରୁ ନିୟମିତ ୧୫ ହଜାର ଲୋକଙ୍କ ଲିମିଟ୍ ନିର୍ଦ୍ଧାରିତ କରାଯାଇଥିଲା । ଧୀରେ ଧୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ଟ୍ରଷ୍ଟ ପକ୍ଷରୁ ରେଜିଷ୍ଟ୍ରେସନ କରାଗଲା । ମାତ୍ର ଆନ୍ତରାଜ୍ୟ ବସ ସେବା ଆରମ୍ଭ ନହେବା ଏବଂ ସୀମିତ ଟ୍ରେନ ପାଇଁ ଅଧିକ ସଂଖ୍ୟକ ଭକ୍ତ ମାତାଙ୍କ ଦର୍ଶନ ପାଇଁ ଆସି ପାରୁନଥିଲେ ।
ହୁଏତ ନିୟମିତ ଟ୍ରେନ ସେବା ଆରମ୍ଭ ହେବା ପରେ ଆହୁରୀ ଅଧିକ ଶ୍ରଦ୍ଧାଳୁ ବଢିବାର ସମ୍ଭାବନା ରହିଛି । ସେଥିପାଇଁ ନୂଆ ବର୍ଷରୁ ରେଲୱେ ୫ଟି ଟ୍ରେନ ଚଲାଇବାକୁ ଯାଉଛି ।