ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନେକ ବେଶ ଅନୁଷ୍ଠି ହୋଇଥାଏ । ସେଥିମଧ୍ୟରୁ ଗଜ ଉଦ୍ଧାରଣ ବେଶ ଅନ୍ୟତମ । ସେହିପରି ଆଜି ମାଘ ପୂର୍ଣ୍ଣିମା ଅବସରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ ।
ପରମ୍ପରା ମୁତାବକ, ମଧ୍ୟାହ୍ନ ଦୂପ ବଢିବା ପରେ ମହାପ୍ରଭୁଙ୍କର ତିନିବାଡେ ମଇଲମ ହୋଇ ସର୍ବାଙ୍ଗ ହୋଇଥାଏ । ଏହାପରେ ଦକ୍ଷୀଣଘର ଆଡକୁ ବିଜେ ହୋଇଥାନ୍ତି ଉଭୟ ଶ୍ରୀଦେବୀ ଭୂଦେବୀ । ଏହାରିମଧ୍ୟରେ ବେଶ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଆଜି ସନ୍ଧ୍ୟା ସମୟରେ ଏହି ବେଶ ଅନୁଷ୍ଠିତ ହେବ । ଖୁଣ୍ଟିଆ, ପୁଷ୍ପାଳକ, ମେକାପ ଆଦି ସେବାୟତଙ୍କ ସହଯୋଗରେ ଭିତରଛ, ତଳିଛ ଓ ପାଳିଆ ସେବକଙ୍କ ଦ୍ୱାରା ଏହି ବେଶ ଅନୁଷ୍ଠିତ ହେବ ।
କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପ୍ରେରଣ କରି ଗଜକୁ ଉଦ୍ଧାର କରିଥିଲେ । ସେଥିପାଇଁ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହେଉଛି । ଏହି ବେଶ ପରେ ସନ୍ଧ୍ୟାଧୂପରେ କ୍ଷିରୀ ଓ ଅମାଲୁ ବିଶେଷ ଭାବେ ଲାଗି ହୋଇଥାଏ ।