ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବ୍ରହ୍ମାଙ୍କ ମାନସ ପୁତ୍ର ମହର୍ଷି ଅଙ୍ଗିରାଙ୍କ ତିନୋଟି ପୁତ୍ର ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ଜ୍ୟେଷ୍ଠ ହେଉଛନ୍ତି ବୃହସ୍ପତି । ଯାହାକୁ ଗୁରୁବାର ଦିନ ପୂଜା କରିବା ଦ୍ୱାରା ଧନ, ବିଦ୍ୟା, ମାନ-ସମ୍ମାନ, ପ୍ରତିଷ୍ଠା ଏବଂ ମନବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ଗୁରୁବାର ଦିନ ବ୍ରତ ଏବଂ କଥା ଶୁଣିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ । ତେବେ ଆସନ୍ତୁ ଜାଣିବା ଗୁରୁବାର ବ୍ରତ କଥା ବିଷୟରେ..
ଏକ ରାଜ୍ୟରେ ଜଣେ ପ୍ରତାପୀ ଏବଂ ଦାନୀ ରାଜା ରାଜତ୍ୱ କରୁଥିଲେ । ସେ ପ୍ରତ୍ୟେକ ଗୁରୁବାର ବ୍ରତ ରଖି ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରି ପୂଣ୍ୟ ପ୍ରାପ୍ତି କରୁଥିଲେ । କିନ୍ତୁ ରାଜାଙ୍କର ଏଭଳି ଆଚରଣଙ୍କୁ ପସନ୍ଦ କରୁନଥିଲେ ରାଣୀ । ନା ସେ କେବେ ବ୍ରତ ରଖୁଥିଲେ ବରଂ ରାଜାଙ୍କୁ ବ୍ରତ ନରଖିବା ଏବଂ ଦାନ କରିବାକୁ ବାରଣ କରୁଥିଲେ । ଦିନେ ରାଜା ଶିକାର ପାଇଁ ଯାଇଥିଲେ । ସେହିଦିନ ଗୁରୁ ବୃହସ୍ପତି ସାଧୁ ରୂପ ଧାରଣ କରି ଭିକ୍ଷା ମାଗିବାକୁ ଆସିଲେ । ଯେତେବେଳେ ସାଧୁ ରାଣୀଙ୍କୁ ଭିକ୍ଷା ମାଗିଲେ ସେତେବେଳେ ରାଣୀ କହିଲେ କି ହେ ସାଧୁ ମହାରାଜ ମୁଁ ଏହି ଦାନ ପୂଣ୍ୟରେ ବିରକ୍ତ ହୋଇଗଲାଣି । ଆପଣ ଏଭଳି କିଛି ଉପାୟ କୁହନ୍ତୁ ଯାହାଦ୍ୱାରା ସମସ୍ତ ଧନ ନଷ୍ଟ ହୋଇଯିବ ଏବଂ ଆରାମରେ ରହି ପାରିବି । ଏହାପରେ ବୃହସ୍ପତିଦେବ ରାଣୀଙ୍କୁ କହିଲେ କି ସମସ୍ତ ଧନକୁ କୌଣସି ପୂଣ୍ୟ କାର୍ଯ୍ୟରେ ଲଗାଇ ଦିଅନ୍ତୁ । ସାଧୁଙ୍କର ଏହି କଥାରେ ରାଣୀ ଖୁସୀ ନହୋଇ କହିଲେ କି , ମୋତେ ଏଭଳି ଧନର ଆବଶ୍ୟକତା ନାହିଁ , ଯାହାକୁ ମୁଁ ଦାନରେ ଦେବି ଏବଂ ଯାହାକୁ ସମ୍ଭାଳିବା ପାଇଁ ମୋର ସବୁ ସମୟ ନଷ୍ଟ ହୋଇଯିବ । ଏହାପରେ ରାଣୀଙ୍କୁ ଗୋବରରେ ଘର ଲିପିବାକୁ, ହଳଦିଆ ମାଟିରେ କେଶ ଧୋଇବାକୁ, ଭୋଜନରେ ମଦ-ମାଂସ ପ୍ରୟୋଗ କରିବା ଲାଗି କହିଲେ ସାଧୁ । ଯାହାଫଳରେ ସମସ୍ତ ଧନ ନଷ୍ଟ ହୋଇଯିବ ।
ସାଧୁଙ୍କ କଥା ପୁରଣ କରି ରାଣୀଙ୍କ କେବଳ ତିନି ଗୁରୁବାର ବିତିଥିଲା ଏହାପରେ ସମସ୍ତ ଧନ ନଷ୍ଟ ହୋଇଗଲା । ଦାନା ମୁଠେ ମିଳିଲାନି ରାଜାଙ୍କ ପରିବାରକୁ । ଅର୍ଥ ପାଇଁ ଅନ୍ୟ ଦେଶକୁ କାଠ ବିକ୍ରିବାକୁ ଗଲେ ରାଜା । ରାଣୀଙ୍କ ଏଭଳି ଅବସ୍ଥା ବିଷୟରେ ଯେତେବେଳେ ତାଙ୍କ ବଡ ଭଉଣୀ ଜାଣିଲେ ସେ ତାଙ୍କୁ ଭେଟିବାକୁ ଆସିଲେ । ଏହାପରେ ଭଉଣୀ ଆଗରେ ସମସ୍ତ ପୀଡା ବଖାଣିଲେ ରାଣୀ । ଏହାପରେ ରାଣୀଙ୍କ ଭଉଣୀ କହିଲେ ଭଗବାନ ବୃହସ୍ପତିଦେବ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ଦେଖ ତୁମର ଭାଗ୍ୟ ବି ବଦଳି ପାରେ । ତୁମେ ଗୁରୁବାର ବ୍ରତ ରଖ ।
ଭଉଣୀଙ୍କ କଥାକୁ ପ୍ରଥମେ ରାଣୀ ବିଶ୍ୱାସ କଲେ ନାହିଁ । ଏହାପରେ ରାଣୀଙ୍କୁ ବ୍ରତର ସମସ୍ତ ବିଧି ବିଷୟରେ ଭଉଣୀ ଜଣାଇବା ପରେ ରାଣୀ ଗୁରୁବାର ବ୍ରତ ରଖିବା ଆରମ୍ଭ କଲେ । ଧୀରେ ଧୀରେ ରାଣୀଙ୍କ ସମସ୍ତ ମନସ୍କାମନା ପୁରଣ ହେଲା ପୁର୍ନବାର ଧନ ସମ୍ପତି ଫେରି ପାଇଲେ ରାଣୀ ।