ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଜାନୁଆରୀ ୧୫ତାରିଖରେ ଆସୁଛି ମକର ସଂକ୍ରାନ୍ତି । ଏହି ପର୍ବଟିକୁ ସବୁ ହିନ୍ଦୁ ଧର୍ମର ଲୋକେ ପାଳନ କରିଥାନ୍ତି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରଥାରେ ଏହି ପର୍ବକୁ ପାଳନ କରନ୍ତି ।
ଓଡ଼ିଶାରେ ମକର ସଂକ୍ରାନ୍ତିରେ ମକର ଚାଉଳ ଖାଇ ମକର ସଂକ୍ରାନ୍ତି ପାଳିଥାନ୍ତି । ଏଥି ସହିତ ଏହି ଦିନରେ ଲୋକେ ଖେଚୁଡି ମଧ୍ୟ ଖାଇଥାନ୍ତି । କେତେକ ଲୋକ ଏହି ଦିନରେ ଖେଚୁଡି ଖାଇବାକୁ ଶୁଭ ବୋଲି ମାନନ୍ତି ।
ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଖେଚୁଡି ଖାଇବା ଦ୍ୱାରା କଣ ସବୁ ଲାଭ ହୋଇଥାଏ ।
ମକର ସଂକ୍ରାନ୍ତିରେ ବହୁତ ଜାଗାରେ ଖେଚୁଡି ଖାଇବା ଓ ଦାନ କରିବାର ପ୍ରଥା ରହିଛି । ତେବେ ଏହା ପଛରେ ମହାଦେବଙ୍କ ଅବତାର କୁହାଯାଉଥିବା ବାବା ଗୋରେଖ ନାଥଙ୍କ କାହାଣୀ ରହିଛି ।
ଖିଲଜୀଙ୍କ ଆକ୍ରମଣ ସମୟରେ ନାଥ୍ ଯୋଗୀ ମାନଙ୍କୁ ଖିଲଜୀଙ୍କ ସହିତ ସଂଘର୍ଷ କରିବାକୁ ପଡୁଥିଲା ଯାହା ଫଳରେ ନାଥ୍ ଯୋଗୀ ମାନଙ୍କୁ ଖାଇବାକୁ ମିଳୁନଥିଲା ଏବଂ ସେମାନେ ଖାଇବା ତିଆରି ମଧ୍ୟ କରିପାରୁନଥିଲେ । ଏହାଦ୍ୱାରା ଦିନକୁ ଦିନ ନାଥ୍ ଯୋଗୀ ମାନେ ଖାଇବା ଅଭାବରେ ରୋଗୀଣା ହୋଇଚାଲିଲେ ।
ଏହି ସବୁ ସମସ୍ୟା ଦେଖି ବାବା ଗୋରେଖନାଥ ନାଥ୍ ଯୋଗୀ ମାନଙ୍କୁ ଡାଲି, ଚାଉଳ, ପରିବା ସବୁ ମିଶାଇ ବ୍ୟଞ୍ଜନ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଏହି ବ୍ୟଞ୍ଜନ ଯୋଗୀ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା ଏବଂ ଏହାର ନାମ ବାବା ଗୋରେଖନାଥ ‘ଖେଚୁଡି’ ରଖିଥିଲେ ।
ତେବେ ମକର ସଂକ୍ରାନ୍ତିରେ ସେବେଠାରୁ ବାବା ଗୋରେଖ ନାଥଙ୍କ ପାଖରେ ଖେଚୁଡି ଭୋଗ ହେବା ସହ ଖେଚୁଡି ମେଳା ମଧ୍ୟ କରାଯାଏ । କୁହାଯାଏ ଯେ ଏହି ଦିନ ଖେଚୁଡି ସ୍ୱୟଂ ସୂର୍ଯ୍ୟ ଦେବଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ତେଣୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଖେଚୁଡିରେ ଗୁଡ ର ବ୍ୟବହାର କରାଯାଇଥାଏ ।
ମକର ସଂକ୍ରାନ୍ତିରେ ପ୍ରସ୍ତୁତ ଖେଚୁଡିରେ କଳାମୁଗ ଡାଲି ର ବ୍ୟବହାର ହୋଇଥାଏ । କଳାମୁଗ ଦ୍ୱାରା ପ୍ରସ୍ତୁତ ଖେଚୁଡିରେ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଲୋକେ ମକର ସଂକ୍ରାନ୍ତିରେ ଖେଚୁଡି ଖାଇବା ସହିତ ଖେଚୁଡି ଭୋଗ ମଧ୍ୟ କରିଥାନ୍ତି ।