ପୁରୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସ୍ୱତନ୍ତ୍ର ବାଙ୍କଚୂଡ ବେଶ ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ସ୍ୱତନ୍ତ୍ର ବାଙ୍କଚୂଡ ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀଜିଉ ।
ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଭକ୍ତ ଅକ୍ରୁର ଗୋପ ଆସିଥିଲେ ସେତେବେଳେ ସେ ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେହି ସୃତୀକୁ ଉଜ୍ଜିବୀତ କରିବା ପାଇଁ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍ଗଚୂଡ ବେଶ ଅନୁଷ୍ଠିତ ହୋଇ ଆସୁଛି ।
ଏହି ବେଶର ବିଶେଷତ୍ୱ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡଠାକୁର ବଳଭଦ୍ରଙ୍କ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷୀଣ ଦିଗକୁ ଆଡ ଖୋସା ପଡେ । ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ ।
ଏକ ଛୋଟ ସୂର୍ଣ୍ଣ କୀରିଟି ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ । ଲକ୍ଷ୍ମୀନାରାୟଣ ବେଶରେ ଲାଗି ହୋଇଥିବା ଅଂଳଙ୍କାରେ ଏଥିରେ ବ୍ୟବହୃତ ହୋଇଥାଏ । ଶ୍ରୀଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଡଠାକୁର ବଳଭଦ୍ର ମୂଷଳ ଧାରଣ କରିଥାନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣରେ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କ ମସ୍ତକ ସୁବର୍ଣ୍ଣ କିଆରେ ଶୋଭିତ ହୋଇଥାଏ ।