ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସନାତନ ଧର୍ମାନୁଯାୟୀ ମନ୍ତ୍ରର ଅନେକ ଶକ୍ତି ରହିଛି । ଯେକୌଣସି ମନ୍ତ୍ର ଯଦି ଆପଣ ସଠିକ୍ ଢଙ୍ଗରେ ନକରିବେ ତେବେ ଏହାର ନକରାତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପଡିଥାଏ । ସେହିପରି ସଠିକ ଢଙ୍ଗରେ ମନ୍ତ୍ର ଜପିବା ଦ୍ୱାରା ଏହାର ସକରାତ୍ମକ ପ୍ରଭାବ ଜୀବନ ଉପରେ ପଡେ । ଯଦି ମନ୍ତ୍ର ଜପିବା ସମୟରେ ଉଚିତ୍ ଜପ ମାଳା ବ୍ୟବହାର କରିବେ ତେବେ ଜପର ଲାଭ ଦୁଇଗୁଣା ହୋଇଯାଏ ।
ଜପ ମାଳାରେ ମନ୍ତ୍ର ଜପିବା ଦ୍ୱାରା ଆରୋଗ୍ୟ ଜୀବନ ପ୍ରାପ୍ତ ହୋଇଥାଏ । ଏହାସହିତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଅଲଗା-ଅଲଗା ମାଳା ଜପିବା ଦ୍ୱାରା ବ୍ୟକ୍ତିଙ୍କୁ ଅଲଗା-ଅଲଗା ଦେବା-ଦେବୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ପଦ୍ମମାଳା: ମା ଲକ୍ଷ୍ମୀଙ୍କର ପ୍ରିୟ ପଦ୍ମମାଳା । ସେଥିପାଇଁ ପଦ୍ମମାଳାରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପିବା ଉଚିତ୍ । ମା ପ୍ରସନ୍ନ ହୋଇ ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ର ଆର୍ଶିବାଦ ପ୍ରଦାନ କରିଥାନ୍ତି ।
ତୁଳସୀ ମାଳା: ହିନ୍ଦୁ ଧର୍ମରେ ତୁଳସୀ ଗଛ ଭଳି ତୁଳସୀ ମାଳା ମଧ୍ୟ ପବିତ୍ର । ଏହା ଭଗବାନ ବିଷ୍ଣୁଙ୍କ ପ୍ରିୟ ମାଳା । ଏହି ମାଳା ଜପିବା ସହ ବେକରେ ମଧ୍ୟ ଧାରଣ କରନ୍ତି । ଏହାଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହୋଇଥାଏ ।
ଋୁଦ୍ରାକ୍ଷ ମାଳା: ରୁଦ୍ରାକ୍ଷର ସମ୍ବନ୍ଧ ଭଗବାନ ଶିବଙ୍କ ସହ କରାଯାଇଛି । ଏହି ମାଳା ଭଗବାନ ଶିବଙ୍କର ଅତି ପ୍ରିୟ ମାଳା । ଭଗବାନ ଶିବଙ୍କ ଆରାଧନା ବେଳେ ଏହି ମାଳାର ବିଶେଷ ମହତ୍ୱ ରହିଛି । ଏହି ମାଳା ଦ୍ୱାରା ମହାମୃତ୍ୟୁଞ୍ଜୟ ଏବଂ ଲଘୁ ମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଉଚିତ୍ ।