ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବରଷକେ ଥରେ ଆସିଛି ରଜଲୋ ସଜନୀ ବରଷକେ ଥରେ ଆସିଛି ରଜ । ଓଡିଶାର ସାଂସ୍କୃତିକ ଗଣପର୍ବ ହେଉଛି ରଜ । କିନ୍ତୁ ମହାମାରୀ କରୋନା ପାଇଁ ନା ଅଛି ଆନନ୍ଦ ଉଲ୍ଲାସ ନା ଅଛି ମଉଜ । କିନ୍ତୁ ପରମ୍ପରା ମୁତାବକ ଘରେ ଜମିଛି ଦୋଳି ଓ ପିଠାପଣାର ଆସର । ତିନିଦିନ ଯାକ ଚାଲିବ ଏହି ପର୍ବ । ଚତୁର୍ଥ ଦିନରେ ବସୁମାତା ସ୍ନାନ କରାଯିବ । ତେବେ ଏହି ଅବସରରେ କଣ ରହିଛି ରଜର ବିଶେଷତ୍ୱ ଆସନ୍ତୁ ଜାଣିବା ।
ଆଷାଢମାସରେ ବର୍ଷାର ପ୍ରଥମ ଆଗମନରେ ମେଘ ଓ ମାଟି ମା’ର ମିଳନ ହୋଇଥାଏ । ରଜସ୍ୱଳା ହୁଏ ମାଟି ମା’ । ଆମ ଦେଶ କୃଷିପ୍ରଧାନ ଦେଶ ହୋଇଥିବାରୁ ମାଟି ମା’ ବିଭିନ୍ନ ପ୍ରକାରର ଫସଲ ଆମ ହାତରେ ଅଜାଡି ଦେଇଥାଏ । ମା’ଟି ଯେପରି ପ୍ରଜନନ ପୂର୍ବରୁ ବିଶ୍ରାମ ନେଇଥାଏ । ଠିକ୍ ସେହିପରି ମାଟି ମା’ ମଧ୍ୟ ପ୍ରଜନନକ୍ଷମ ହେବା ପୂର୍ବରୁ ତିନି ଦିନ ବିଶ୍ରାମ ନେଇଥାଏ ବୋଲି ବିଶ୍ୱାସ ରହିଛି ।
ପହିଲି ରଜରେ ଆରମ୍ଭ ହୋଇଥାଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ । ଭୂଖନନ ମଧ୍ୟ କରାଯାଏ ନାହିଁ । ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ରଜ ସଂକ୍ରନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ଦିନକୁ ବସୁମାତା ସ୍ନାନ ବୋଲି କୁହାଯାଇଥାଏ ।
ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।