ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଛୋଟ ଦୀପାବଳି । ଏନେଇ ଚାରିଆଡେ ଉତ୍ସବ ମୁଖର । ଏହାସହିତ ନରକ ଚର୍ତ୍ତୁଦଶୀକୁ ବି ଛୋଟ ଦୀପାବଳି ବୋଲି କୁହାଯାଇଥାଏ । ଏହି ଦିନ ମୃତ୍ୟୁର ଦେବତା ଯମରାଜ ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଦୀପାବଳିର ଗୋଟେ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚର୍ତୁଦଶୀ ତିଥିକୁ ନରକ ଚର୍ତ୍ତୁଦଶୀ ପାଳନ କରାଯିବା ସହ ଛୋଟ ଦୀପାବଳି ପାଳନ କରାଯାଏ । ଏହି ଦିନ ଲୋକେ ତାଙ୍କ ଘର ବାହାରେ ଦୀପ ଜାଳି ଥାନ୍ତି ।
ପୌରାଣିକ ମାନ୍ୟତା ଅନୁଯାୟୀ,ଏହି ଦିନ ଯେଉଁ ବ୍ୟକ୍ତି ମୃତ୍ୟୁର ଦେବତା ଯମରାଜ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାନ୍ତି ତାଙ୍କୁ ମୃତ୍ୟୁ ପରେ ନର୍କରେ ସ୍ଥାନ ମିଳେ ନାହିଁ । ଏହାସହିତ ଅଜଣାରେ ହୋଇଥିବା ପାପରୁ ବି ମୁକ୍ତି ମିଳେ ବୋଲି କୁହାଯାଏ ।
ଏହିଦିନ ଧର୍ମରାଜଙ୍କ ପୂଜାର୍ଚ୍ଚନା କରି ଘରର ମୁଖ୍ୟ ଦ୍ୱାରର ବାହାରେ ତେଲ ଦୀପ ଜାଳିଲେ ଅକାଳ ମୃତ୍ୟୁରୁ ମୁକ୍ତି ମିଳିଥାଏ ।
ଧାର୍ମିକ ନିୟମ ଅନୁଯାୟୀ ଶ୍ରାଦ୍ଧ ମାସରେ ଆସିଥିବା ପିତୃପୁରୁଷ ଏହି ଦିନ ଚନ୍ଦ୍ରଲୋକଙ୍କୁ ଫେରିଯାଇଥାନ୍ତି । ଏହାସହିତ ପିତୃପୁରୁଷଙ୍କ ସୁବିଧା ପାଇଁ ନରକ ଚର୍ତ୍ତୁଦଶୀ ଦିନ ଏକ ବଡ ଦୀପ ଜଳା ଯାଇଥାଏ ।
ମାନ୍ୟତା ଅନୁସାରେ ନରକ ଚର୍ତ୍ତୁଦଶୀରେ ନର୍କ ଯାତନାରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟଦୟ ପୂର୍ବରୁ ଦେହରେ ସୋରିଷ ତେଲ ମାଲିସ କରି ସ୍ନାନ କରିବା ଉଚିତ୍ । ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ ଏବଂ ପୁରା ବିଧି ବିଧାନ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରନ୍ତୁ । ସନ୍ଧ୍ୟା ସମୟରେ ୫ ଟି କିମ୍ବା ୭ଟି ଦୀପ ଜାଳନ୍ତୁ ଏବଂ ସେହି ଦୀପକୁ ଘରର ଚାରି କୋଣରୁ ରଖି ଦିଅନ୍ତୁ ।