ପୁରୀ (ଏଟିଆର ବ୍ୟୁରୋ): ଚାଲିଛି ପଞ୍ଚୁକ ବ୍ରତ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠୁ ପୂର୍ଣ୍ଣିମା ଯାଏଁ ପାଳନ କରାଯାଏ ପଞ୍ଚୁକ ବ୍ରତ । ଏହା ମହା ପଞ୍ଚକ, ବଳ ପଞ୍ଚକ ଓ ଭୀଷ୍ମ ପଞ୍ଚକ ନାମରେ ମଧ୍ୟ ଜଣାଯାଇଥାଏ । କାର୍ତ୍ତିକ ମାସ ଯାକ ବ୍ରତ କରି ଯେତିକି ପୂଣ୍ୟ ମିଳିଥାଏ ତାଠୁ ଅଧିକ ପୂଣ୍ୟ ପଞ୍ଚୁକ ବ୍ରତରେ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ପଞ୍ଚୁକ ପାଞ୍ଚ ଦିନ ଯାକ ଆମିଷ ଛାଡି ସାତ୍ୱିକ ଭୋଜନ କରିଥାଆନ୍ତି ଲୋକେ ।
କିମ୍ବଦନ୍ତି ଅନୁଯାୟୀ, ଏହାକୁ ବକ ପଞ୍ଚକ ମଧ୍ୟ କୁହାଯାଏ କାରଣ ବଗ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହିଥାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୃପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ।