ପୁରୀ (ଏଟିଆର ବ୍ୟୁରୋ); ଆଜି ପବିତ୍ର ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଲୋକମୁଖରେ ଏହା ମାଘ ସପ୍ତମୀ ଭାବେ ବେଶ୍ ଜଣାଶୁଣା। ଏହି ମାଘ ସପ୍ତମୀଙ୍କୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଇଏ ।ଏହି ଅବସରରେ ପବିତ୍ର ଚନ୍ଦ୍ରଭାଗା ସ୍ନାନ ଅନୁଷ୍ଠିତ ହୋଇଛି। ସୂର୍ଯ୍ୟଦୟସମୟରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟଙ୍କୁ ପ୍ରଣାମ କରିଛନ୍ତି। ଚନ୍ଦ୍ରଭାଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଗତକାଲି ରାତିରେ ମାଘ ଷଷ୍ଠୀରେ ଶୋଭାଯାତ୍ରାରେ ବାହାରିଥିଲେ। କୋଣାର୍କ ଏନ୍ଏସି ପଡ଼ିଆରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା। ଏହାପରେ ତିନି ଠାକୁର କୋଣାର୍କ ମେଡିକାଲ ଛକରେ ଏକାଠି ହେବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦ୍ଦେଶ୍ୟରେ ବାହାରିଥିଲେ।
ହିନ୍ଦୁ ବିଶ୍ୱାସ ଅନୁଯାୟୀ, ଏହି ମାଘ ମାସ ସପ୍ତମୀ ତିଥିରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବ ଜନ୍ମ ଗଅହଣ କରିଥିବାରୁ ତାଙ୍କୁଆଦିତ୍ୟ କୁହାଯାଏ।ତେଣୁ ଏହି ଦିନ ରୋଗଗ୍ରସ୍ତ ବ୍ୟକ୍ତି ସୂର୍ଯ୍ୟ ପୂଜା କଲେ ରୋଗଶୋକରୁ ମୁକ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଲୋକ ବିଶ୍ୱାସ ଅନୁଯାୟୀ, ଆଜି ସକାଳେ ରାଜ୍ୟ ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ସ୍ନାନ କରିଛନ୍ତି।