ପୁରୀ (ଏଟିଆର ବ୍ୟୁରୋ); ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅରୁ ୧୦୮ ଗରା ସୁବାଶିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧା ମୁରତି । ଅଣସର ଘରେ ଚାଲିଛି ଗୁପ୍ତ ସେବା । ପଞ୍ଚମୀ ତିଥୀରେ ଫୁଲୁରୀ ତେଲ ଲାଗି ହେବା ପରଠାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧା ମୁରତି ।
ଏହାପରେ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଔଷଧ ଲେପନ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଜ୍ୱର ଭଲ ନହେବାରୁ ଗଜପତିଙ୍କ ନିର୍ଦ୍ଦେଶ ମୁତାବକ ସଂପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପଣ୍ଡି, ଅଙ୍କରାନ୍ତି, ଗୋଖରା ପରି ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ। ଅତି ନିଷ୍ଠା ଓ ପବିତ୍ରତାର ସହ ଚୁଲି ବସାଇ ପାଗ ହେବା ପରେ ପ୍ରସ୍ତୁତ ଚେରମୂଳ ଗୁଣ୍ଡକୁ ସେଥିରେ ପକାଯାଇ ଘଣ୍ଟାଯାଏ ଓ ଥଣ୍ଡା ହେବାପରେ ମୋଦକ ପ୍ରସ୍ତୁତ ହୁଏ।
ଆଜି ଏକାଦଶୀରେ ଏହି ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ମହାପ୍ରଭୁ। ଦୀର୍ଘ ଦଶଦିନ ଧରି ଧଳାବସ୍ତ୍ର ଓ ଧଳା ପୁଷ୍ପରେ ସେବା ପାଉଥିବା ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବେ। ସେପଟେ ରଥଯାତ୍ରାକୁ ଆଉ ୪ଦିନ ବାକିଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇ ପଡିଛି । କାରିଗରମାନେ ନିଜ ନିଜ କାମରେ ଲାଗି ପଡିଛନ୍ତି ।