ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରୀର ସପ୍ତମ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ ମା କାଳରାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ମାଙ୍କୁ ଉପାସନା କରିବା ଦ୍ୱାରା ସର୍ବଦା ଭୟରୁ ମୁକ୍ତ ରହିଥାନ୍ତି ଭକ୍ତ ।
ସେହିପରି ମାତାଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ପାପର ନାଶ ହେବା ସହ ଶତ୍ରୁ ବିନାଶ ହୋଇଥାନ୍ତି । ଏହାସହିତ ମା’ କାଳରାତ୍ରୀଙ୍କୁ ଆରାଧନା କରିବା ଦ୍ୱାରା ବ୍ରହ୍ମାଣ୍ଡର ସମସ୍ତ ସିଦ୍ଧିର ଦ୍ୱାର ଖୋଲି ଯାଇଥାଏ ।
ମା’ଙ୍କ ଏହି କାଳରାତ୍ରୀ ସ୍ୱରୁପ ଦେଖିବାକୁ ଖୁବ୍ ଭୟଙ୍କର । କିନ୍ତୁ ମା’ ସର୍ବଦା ଭକ୍ତଙ୍କୁ ଶୁଭ ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ମାତାଙ୍କୁ ଶୁଭଙ୍କାରୀ ନାମରେ ମଧ୍ୟ ଆରାଧନା କରାଯାଇଥାଏ । ସେହିପରି କାଳୀ, ଭଦ୍ରକାଳୀ, ମହାକାଳୀ, ଭୈରବୀ, ଦୁର୍ଗା ଆଦି ନାମରେ ବି ମା’ଙ୍କୁ ପୂଜା କରାଯାଇଥାଏ ।
ରାକ୍ଷସ ରକ୍ତବୀଜକୁ ସଂହାର କରିବା ପାଇଁ ମାତା କାଳରାତ୍ରୀ ଅବତାର କରିଥିଲେ । ମା’ଙ୍କ ପୂଜା ଆରାଧନା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଳବତ୍ତର ହୋଇ ରହିଥାଏ । ଏହାସହିତ ଘରୁ ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସେଥିପାଇଁ ମା’ଙ୍କୁ ପୂଜା କଲା ବେଳେ ଲାଲ, ନୀଳ ଏବଂ ଶ୍ୱେତ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହେବ । ମାଙ୍କ ପୂଜାରେ ଗୁଡ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ । ଏହାପରେ ପୂଜା ଶେଷ ହେବା ପରେ ଗରିବ ଲୋକଙ୍କୁ ଦାନ କରନ୍ତୁ ।