ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମାର୍ଗଶୀର ମାସ । ଏହି ମାସ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ । ଏହି ମାସରେ ଗୁରୁବାର ବା ଲକ୍ଷ୍ମୀ ବ୍ରତ ପାଳନ କରାଯାଏ । ଯାହାକୁ ମାଣବସା ଗୁରୁବାର ବୋଲି କୁହାଯାଏ । ଆଜି ହେଉଛି ଚତୁର୍ଥ ପାଳି ମାଣବସା ଗୁରୁବାର । ବାର ମାସରେ ପାଳିତ ହେଉଥିବା ୧୩ ପର୍ବ ମଧ୍ୟରୁ ମାର୍ଗଶୀର ଗୁରୁବାର ମାଣବସା ଓଷା ଅନ୍ୟତମ । ବ୍ରହ୍ମଣଠୁ ନେଇ ଚଣ୍ଡାଳ ଯାଏଁ ସମସ୍ତଙ୍କ ଘରେ ଏହି ଓଷା ପାଳନ କରାଯାଏ ।
ଗୁରୁବାର ମାଣବସା ଓଷାର ଇଷ୍ଟଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତାଙ୍କୁ ସମସ୍ତ ଲକ୍ଷଣର ଅଧିକାରିଣୀ ବୋଲି କୁହଯାଏ । ମାର୍ଗଶୀର ମାସ ପ୍ରତ୍ୟେକ ଗୁରୁବାର ଏହି ଓଷା କରାଯାଏ । ସେଥିପାଇଁ ଘର ଦ୍ୱାର ଲିପା ପୋଛା କରାଯାଇ ଝୋଟି ଚିତା ଅଙ୍କାଯାଏ । ଏହି ଓଷାରେ ଗୁରୁବାର ଭୋରୁ ଖଟୁଲି ଉପରେ ରଖାଯାଇଥିବା ମାଣରେ ଦେଉଳ ଆକାରର ଧାନ ରଖି ତାକୁ ନୂଆ ବସ୍ତ୍ରରେ ସଜାଯାଇ ଓଣଣୀ ଦେଇ ମା ଲକ୍ଷ୍ମୀକୁ ସଜାଯାଏ । ଏହାସହିତ ମାଲକ୍ଷ୍ମୀଙ୍କ ଫଟୋକୁ ସଜାଇ ସେଥିରେ ସିନ୍ଦୁର, ଫୁଲ, ଚନ୍ଦନଦେଇ ଧୂପଦୀପ ବୁଲାଇ ନୈବେଦ୍ୟ ଦେଇ ପୂଜା କରାଯାଇଥାଏ । ସକାଳୁ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପରେ ଗୋଟିଏ ପରେ ଗୋଟିଏ ପୂଜା ନିଷ୍ଠାର ସହ କରାଯାଇଥାଏ । ସକାଳୁ ନେଇ ସଞ୍ଜ ଯାଏଁ ମାଙ୍କର ଭୋଗ ଲାଗି ହୋଇଥାଏ ।