ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ରାଜ୍ୟରେ ମନ୍ଦିର ଗୁଡିକ ବନ୍ଦ ରହିଛି । ଭଗବାନଙ୍କୁ ଦର୍ଶନ କରିବା ଲାଗି ବଞ୍ଚିତ ହୋଇଛନ୍ତି ଭକ୍ତ । ମାତ୍ର ରାଜ୍ୟରେ ଏବେ ସ୍ଥିତି ଧୀରେ ଧୀରେ ସ୍ୱଭାବିକ ହେଉଥିବା ବେଳେ ମନ୍ଦିର ଖୋଲିବା ପାଇଁ ସେବାୟତ ଏବଂ ସାଧାରଣ ଜନତା ଦାବି କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସେହିଅନୁଯାୟୀ ଖୁବଶୀଘ୍ର ରାଜ୍ୟରେ ଖୋଲିପାରେ ମନ୍ଦିର ।
ମନ୍ଦିର ଖୋଲିବା ନେଇ ବ୍ୟବସ୍ଥା କରିବା ନିମନ୍ତେ ମନ୍ଦିର ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ହିତାଧିକାରୀଙ୍କ ପରାମର୍ଶ ପରେ ରିପୋର୍ଟ ଦେବେ ଜିଲ୍ଲାପାଳ । ରିପୋର୍ଟ ମୁତାବକ କୋଭିଡ ଗାଇଡ ଲାଇନ ପାଳନ କରାଯାଇ କିଭଳି ଭାବେ ମନ୍ଦିର ଖୋଲାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯିବ ।
ସୂଚନା ମୁତବକ, ମନ୍ଦିର ଖୋଲିବା ଦାବିରେ ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ । ଏହାସହିତ କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନେଇ ଗତକାଲି ମନ୍ଦିର ଗୁଡିକର ବାହାରେ ୯ ମିନିଟ ପାଇଁ ବାଜିଥିଲା ଘଣ୍ଟଘଣ୍ଟା ।