ପୁରୀ (ଏଟିଆର ବ୍ୟୁରୋ): ଆଜି ଭାଦ୍ରବମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ବାସୁର ବଧ ବେଶ । ଏହି ବେଶରେ ପ୍ରଭୁ ବଳରାମଙ୍କ ଏକ ହସ୍ତରେ ହଳ ଓ ଅନ୍ୟ ମୂଷଳ ଶୋଭାପାଏ । ୪ ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାରସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନଭାଗରେ ରଖାଯାଏ ।
ଏହି ବେଶରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥିବା ବେଳେ ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟମାନ ହୁଏ ।ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାପରେ ସନ୍ଧ୍ୟାଧୂପ ଶେଷ ହେବ ଯାଏଁ ରହିବ ।