ପୁରୀ (ଏଟିଆର ବ୍ୟୁରୋ); ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମବେଦୀ ଛାଡି ପୁଣିଥରେ ରତ୍ନବେଦୀରେ ବିଜେ କରିବେ କଳା ଠାକୁର । ମାଉସୀ ମା ଶ୍ରୀ ଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ରହିବା ପରେ ଆଜି ପୁଣିଥରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ଚତୁର୍ଦ୍ଧା ମୁରତୀ । ଘଣ୍ଟ ଘଣ୍ଟା ହୁଳ ହୁଳି ଏବଂ ହରିବୋଲ ସ୍ୱରରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଭଗବାନଙ୍କ ଭାବରେ ନିମଗ୍ନ ହୋଇ ଯାଇଛନ୍ତି ଭକ୍ତ ।
ଆଜି ପାହାନ୍ତାରୁ ଧିରେ ଧିରେ ଭକ୍ତଙ୍କ ଭିଡ ଜମିଥିଲା । ଶ୍ରୀମନ୍ଦିର ଅଭିମୁଖେ ମହାପ୍ରଭୁଙ୍କୁ ନେବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି । କଥାରେ ଅଛି କାଳିଆର ଡୋରି ଲାଗିଲେ କେହି ଅଟକାଇ ପାରିବେ ନାହିଁ । ସେଥିପାଇଁ ତ ବଡଦାଣ୍ଡ ଜନସମୁଦ୍ରରେ ଲହଡି ଭାଙ୍ଗୁଛି । ଅଗଣିତ ଭକ୍ତଙ୍କ ଭାବ ବେଗ ଅକୁହା ସ୍ମୃତି ଭଳି ଲାଗୁଛି । ମନରେ ଯେତେ ପାପା ଥିଲେ ମଧ୍ୟ ଥରେ ରଥ ଦଉଡି ହାତରେ ବାଜିବା ପରେ ସବୁ କୁଆଡେ ଲିନ ହେଲା ଭଳି ମନେ ହେଉଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ । ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଭିଡ ମଧ୍ୟ ଜମିବ । ତେବେ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ରଥଯାତ୍ରା ଦିନ ଯେଉଁ ଭଳି ଭକ୍ତମାନେ ଆସିଥିଲେ ଆଜି ମଧ୍ୟ ସେହିଭଳି ଭକ୍ତଙ୍କ ଭିଡ ଜମିଛି । ସକାଳୁ ଶରଧା ବାଲିରେ ଭକ୍ତ ଏବଂ ଭଗବାନଙ୍କ ଆକର୍ଷଣ ଦେଖିବାକୁ ମିଳିଥିଲା । ଶରଧା ବାଲିକୁ ଅତି ଶରଧାର ସହ ମଥାରେ ମାରିଥିଲେ ଭକ୍ତ ।