ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯୌତୁକକୁ ନାଁ କରିବା ପାଇଁ ସରକାର ଓ ବିଭିନ୍ନ ସଂଗଠନ ମାନେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ କିଛି ଲୋକ ବୁଝିବାକୁ ନାରାଜ । ଚତୁର୍ଥୀରେ ବି ସ୍ୱାମୀ ଯୌତୁକ ଦାବି କରି ସ୍ତ୍ରୀକୁ ମାଡ ମାରୁଛି । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳୁଛି ରାଜଧାନୀର ସହିଦ ନଗରରେ । ଦେଢଲକ୍ଷ ଟଙ୍କା ଦେଇ ନପାରିବାରୁ ଚତୁର୍ଥୀ ଦିନ ସ୍ୱାମୀ ସ୍ତ୍ରୀକୁ ମଡ ମାରିଛି ।
ଯାହାକୁ ନେଇ ସ୍ତ୍ରୀ ଥାନାରେ ଅଭିଯୋଗ କରିଛି । ସୂଚନା ଅନୁସାରେ ଭୁବନେଶ୍ବର ସ୍ଥିତ ଭିଏସ୍ଏସ୍ନଗରର ଦେବୀ ପ୍ରସାଦଙ୍କର ବିବାହ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ ଝିଅ ବନ୍ଦନା ସେନାପତିଙ୍କ ସହ ଗତ ୭ ତାରିଖରେ ଧୁମଧାମ୍ ରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ବନ୍ଦନାଙ୍କ ପରିବାର ପକ୍ଷରୁ ସୁନାଗହଣା ଓ ଅଢ଼େଇ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଦିଆ ଯାଇଥିଲା ।
ବାକି ଟଙ୍କା ଚତୁର୍ଥୀ ଦିନ ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଚତୁର୍ଥୀ ଦିନ ସେହି ଟଙ୍କାକୁ କନ୍ୟାଘର ବର ପକ୍ଷକୁ ଦେଇ ପାରି ନଥିଲେ । ଯାହାଫଳରେ ନବବିବାହିତ ସ୍ୱାମୀ ସ୍ତ୍ରୀଙ୍କୁ ବଡୁତ ମାଡ ମାରିଥିଲେ । ଏନେଇ ବନ୍ଦନା ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଦେବୀ ପ୍ରସାଦଙ୍କୁ ଗିରଫ କରିଛି ।