ପୁରୀ (ଏଟିଆର ବ୍ୟୁରୋ); ଆଜି ମହାପ୍ରଭୁଙ୍କ ସୁନାବେଶ । ଅଳଙ୍କାରରେ ଭୂଷିତ ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା । ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ପୁରୀରେ ଲାଗିବ ଭକ୍ତଙ୍କ ଭିଡ । କାହିଁ କେତେ ଦୂରରୁ ଭକ୍ତମାନେ ଆସି ସକାଳୁ ଡେରା ପକାଇଲେଣି । ରଥଯାତ୍ରା ଏବଂ ବାହୁଡା ଭଳି ଆଜି ମଧ୍ୟ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।
ବର୍ଷତମାମ ଶ୍ରୀଜିଉ ରତ୍ନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ୯ଦିନ ପାଇଁ ମନ୍ଦିର ବାହାରକୁ ଆସିଥାନ୍ତି । ଯାହାକୁ ଦେଖିବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ରହିଥାନ୍ତି । ରଥଯାତ୍ରାଠାରୁ ଆରମ୍ଭ କରି ସୁନାବେଶ ଭକ୍ତଙ୍କ ଭିଡ ଜମିଥାଏ । ଯଦ୍ଖସ ମହାପ୍ରଭୁ ରତ୍ନବେଦୀରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତଥାପି ରଥ ଉପରେ ସୁନାବେଶ ଦେଖିବା ପାଇଁ ଭକ୍ତମାନେ ଚାହିଁ ବସିଥାନ୍ତି । ଏଣୁ ଭକ୍ତମାନେ ଧାଇଁ ଆସିଥାନ୍ତି ।
ଆଜି ବଡଦାଣ୍ଡ ହେବ ଭକ୍ତିମୟ । ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିବା ଅନେକ ଭକ୍ତ ପୁରୀରେ ଶୁକ୍ରବାର ରହିଯାଇଛନ୍ତି । ସେମାନେ ସୁନାବେଶ ଦେଖିବା ପରେ ନିଜ ନିଜ ଘରକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ସୁନାବେଶ ଶେଷ ହେବା ପରେ ରବିବାର ରଥ ଉପରେ ଅଧରପଣା ନୀତି ହେବ । ଶେଷରେ ସୋମବାର ଶ୍ରୀଜିଉମାନଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବ । ମିଳିଥିବା ସୂଚନା ଅନୁସାରେ ଶ୍ରୀଜିଉମାନଙ୍କର ସୁନାବେଶ ଆଜି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଯିବ ଏବଂ ଏହି ଆକର୍ଷଣୀୟ ବେଶ ରାତି ୧୧ଟା ଯାଏଁ ଚାଲିବ ।