ପୁରୀ (ଏଟିଆର ବ୍ୟୁରୋ):ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ରାଧାଷ୍ଟମୀ ନୀତି । ପରମ୍ପରା ଅନୁଯାୟୀ ସକାଳ ଧୂପ ଶେଷ ହେବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଗ୍ରହଣ କରିଥାନ୍ତି ଶ୍ରୀଦେବୀ । ଏବଂ ମହାଜନ ସେବକ ଏବଂ ବିମାନବଡୁ ସେବକଙ୍କ ଦ୍ୱାରା ପାଲିଙ୍କିରେ ବସାଯାଇ ତାଙ୍କୁ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ନିଆଯାଇଥାଏ । ସେଠାରେ ପୂର୍ବରୁ ସଜା ହୋଇଥିବା ଖଟୁଲିରେ ବସାଯାଇ ପ୍ରଥମେ ମାଜଣା, ତାପରେ ଶୀତଳ ଭୋଗ ଶେଷରେ ବନ୍ଦାପନା କରାଯାଇଥାଏ ।
ପୁଣି ମଧ୍ୟାହ୍ନ ଧୂପ ପ୍ରସ୍ତୁତି କରାଯିବା ପରେ ଶ୍ରୀଦେବୀଙ୍କୁ ଗର୍ଭଗୃହକୁ ଅଣାଯାଇ ସେଠାରେ ତାଙ୍କୁ ମଧ୍ୟାହ୍ନ ଧୂପ ଲାଗି କରାଯାଏ । ଏହି ମଧ୍ୟାହ୍ନ ଧୂପ ସରିବା ପରେ ଗର୍ଭଗୃହକୁ ସଫା କରାଯାଇଥାଏ ଏବଂ ମହାଜନ ସେବକଙ୍କ ଦ୍ୱାରା ଭୁଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟସେଜ ଘରକୁ ନିଆଯାଇ ଖଟୁଲିରେ ବସାଯାଇଥାଏ ।
ଏହାପରେ ପୂଜାପଣ୍ଡା ସେବକମାନେ ସିଂହାସନ ଉପରେ ସୁଦର୍ଶନଙ୍କୁ ଆଜ୍ଞାମାଳ ଅର୍ପଣ କରିଥାନ୍ତି । ମାତ୍ର ସୁଦର୍ଶନ ସିଂହାସନରେ ବିରାଜ ନକରି ଜଗମୋହନ ଦଇତାପତି ସେବକଙ୍କ ଦ୍ୱାରା ପ୍ରସ୍ତୁତି କରାଯାଇଥିବା ସ୍ୱତନ୍ତ୍ର ଚଉଦୋଳରେ ବିରାଜମାନ କରିଥାନ୍ତି । ରେଶମ କପଡାରେ ଚଉଦୋଳ ସଜାଯାଇଥାଏ । ଏହାପରେ ବିମାନବଡୁ ସେବକ ଚଉଦୋଳ ନେଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି । ସେଠାରେ ସୁଦର୍ଶନଙ୍କଠାରେ ସୁର୍ଣ୍ଣ ଅଳଙ୍କାର ଏବଂ କମର ପଟି ଲାଗି ହୋଇଥାଏ, ଯାହାକୁ ଭଣ୍ଡାର ମେକାପ ଏବଂ ଦୟାନମାଳି ସେବକମାନଙ୍କ ପ୍ରସ୍ତୁତ କରାଯାଏ । ଚୌଡାଳକୁ ଶ୍ରୀମନ୍ଦିର ପାଶ୍ୱର୍ବର୍ତ୍ତି ଅଞ୍ଚଳ ଏବଂ ଗୌଡବାଡ ସାହି ସ୍ଥିତ ରାମେଶ୍ୱର ମନ୍ଦିରରେ ପରିକ୍ରମା କରାଇବା ପରେ ଚଉଦୋଳକୁ ନେଇ ଜହ୍ନିମୁଣ୍ଡିଆରେ ରଖାଯାଇଥାଏ । ସେଠାରେ ତାଙ୍କୁ ଶୀତଳ ଭୋଗ ଏବଂ ବନ୍ଦାପନା କରାଯିବା ପରେ ସୁଦର୍ଶନଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ । ମନ୍ଦିରକୁ ଫେରନ୍ତା ରାସ୍ତାରେ ଚଉଦୋଳକୁ ୩୧ ଟି ସ୍ଥାନରେ ରଖାଯାଇ ଭୋଗ ଲାଗି କରାଯାଏ ।