ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କାଳିଆ ଟଙ୍କାକୁ ନେଇ ରହିଥିବା ଅନିଚ୍ଛିତତାରେ ଏବେ ପୂର୍ଣ୍ଣଛେଦ ପଡିଛି । ଆସନ୍ତା ନଭେମ୍ବର ମାସରେ କାଳିଆ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସେ ଆହୁରି ମଧ୍ୟ କହିଛନ୍ତି ଗତ ଅଗଷ୍ଟ ମାସରେ ହୀତାଧିକାରୀ ଜାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏବଂ ଏଥିରେ ଯେଉଁ ହିତାଧିକାରୀ ମାନେ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ସେମାନଙ୍କୁ ଏହି ନଭେମ୍ବର ମାସରେ କାଳିଆ ଟଙ୍କା ଦିଆଯିବ । ଆଜି ଲୋକସଭା ଭବନରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ସରକାର ଘୋଷଣା କରିଥିଲେ ନାମ ମାତ୍ର ଚାଷୀ , ଭୂମିହୀନ ଓ ଶ୍ରମିକଙ୍କ ୁ ୪ଟି କିସ୍ତିରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ । ଏହି ଯୋଜନାରେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ କାଳିଆ ଟଙ୍କା ଦେଇଥିଲେ ।
ମାତ୍ର ପରେ କେତେକ ଅଯୋଗ୍ୟ ହୀତାଧିକାରୀ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ଅଯୋଗ୍ୟ ହୀତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ନିଆଯିବ ବୋଲି ସୂଚନା ଦେଇଥିଲେ । ଯେଉଁ ସରକାରୀ ଚାକିରିଆ ମାନେ ଟଙ୍କା ନେଇଛନ୍ତି ସେମାନଙ୍କର ଦରମାରୁ ଏହି ଅର୍ଥ ଭରଣା କରାଯିବ ବୋଲି କହିଥିଲେ । ଏବଂ ଯେଉଁ ପରିବାରର ଏକାଧିକ ଲୋକ ଟଙ୍କା ନେଇଛନ୍ତି ଦ୍ୱିତୀୟ କିସ୍ତିରେ ତାହା ଭରଣା କରାଯିବ ।