ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମ ମନ୍ଦିର ନିର୍ମାଣର ଭୂମି ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ଘରେ ଘରେ ଉତ୍ସବର ମାହୋଲ । ଚାରିଆଡେ ଖାଲି ରାମମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଭୂମି ପୂଜା କରିବେ । ଏହାସହିତ ଏକ ଘଣ୍ଟା ଯାଏଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ବୋଲି ଶୁଣିବାକୁ ମିଳୁଛି ।
ଆସନ୍ତାକାଲି ସକାଳ ସାଢେ ୧୧ଟାରେ ଅଯୋଧ୍ୟାର ସାକେତ ମହାବିଦ୍ୟାଳୟ ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ । ସେଠାରୁ ସିଧା ହନୁମାନ ଗଢି ଯିବେ ମୋଦି ସେଠୁ ପୂଜା ସାରି ୧୨ ଟାରେ ରାମଜନ୍ମ ଭୂମିରେ ପହଁଚିବେ । ସାଢେ ୧୨ ଟାରେ ଭୂମିପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏହାପରେ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମର ସାର୍ବଜନିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୂମି ପୂଜା ଶେଷ ହେବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଦେଶକୁ ସମ୍ବୋଧିତ କରିବେ ମୋଦି ।
ରାମମନ୍ଦିର ଭୂମି ପୂଜା କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଠା ଚାଲିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ସମେତ ଅନେକ ବିଶିଷ୍ଟ ଲୋକ ସାମିଲ ହେବେ । ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ମୋହନ ଭାଗବତ ବି ଦେଶକୁ ସମ୍ବୋଧିତ କରିବେ ।