ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଜି ରହିଛି ରାମାର୍ଚା ପୂଜା । ଏହି ପୂଜା ସକାଳ ୯ ଟାରୁ ଆରମ୍ଭ ହୋଇ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୬ ଜଣ ପୂଜାରୀ ସାମିଲ ହେବେ । ଏହାପୂର୍ବରୁ ସୋମବାର ଦିନ ଗଣପତି ପୂଜା ହୋଇଥିଲା । ଏହାବ୍ୟତିତ ହନୁମାନଗଢିରେ ହନୁମାନଙ୍କ ପୂଜା ହେବ । ଅଯୋଧ୍ୟାର ଅଧିଷ୍ଠାତା ହେଉଛନ୍ତି ହନୁମାନ ମହାରାଜା । ସେଥିପାଇଁ ହନୁମାନଙ୍କ ପୂଜା କରାଯାଇଥାଏ ।
ଆସନ୍ତାକାଲି ହେବାକୁ ଥିବା ଭୂମି ପୂଜାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଭୂମିପୂଜାରେ ଆମନ୍ତ୍ରିତ କରାଯାଇଥିବା ଅତିଥିଙ୍କ ମଧ୍ୟରୁ କିଛି ଲୋକ ଆଜି ଅଯୋଧ୍ୟାରେ ପହଁଚି ଯିବେ । ଯେଉଁଥିରେ ସଂଘ ପ୍ରମୁଖ ମୋହନ ଭଗବତ, ଯୋଗଗୁରୁ ରାମଦେବ ବାବା ଏବଂ ସ୍ୱାଧୀ ତ୍ରୁତମ୍ଭରା ଭଳି ଅନେକ ବଡ ବଡ ନାମ ସାମିଲ ଅଛି । ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୧୭୫ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସେଥିରୁ ୧୩୫ ଜଣ ସନ୍ଥ ରହିଛନ୍ତି ଯିଏକି ବିଭିନ୍ନ ଆଧ୍ୟାତ୍ମିକ ପରମ୍ପରା ସହିତ ଜଡିତ ଏବଂ ସମସ୍ତେ ପୂଜାରେ ଉପସ୍ଥିତ ରହିବେ ।