ପୁରୀ (ଏଟିଆର ବ୍ୟୁରୋ); ଶରଧା ବାଲିରେ ଲାଗିଛି ତିନି ରଥ । ରତ୍ନବେଦୀ ଛାଡି ଜନ୍ମଦେବୀରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୁରତୀ । ନାକଚଣା ଦ୍ୱାରରେ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ । ତେବେ ସୋମବାର ତାଳଧ୍ୱଜ ଏବଂ ଦର୍ପଦଳନ ଦକ୍ଷିଣ ମୋଡ କରାଯାଇଥିବା ବେଳେ ମଙ୍ଗଳବାର ନନ୍ଦିଘୋଷକୁ ଦକ୍ଷିଣ ମୋଡ କରାଯାଇଛି । ଏବେ ତିନି ରଥ ଦକ୍ଷିଣ ମୋଡରେ ରହିଛନ୍ତି । ଆଉ ଦୁଇଦିନ ପରେ ତିନି ରଥରେ ପୁଣିଥରେ ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡି ଯିବେ ।
ଗତକାଲି ସେବାୟତ-ଜେଟିପି ବିବାଦ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ହୋଇଥିଲା। ମା’ ଲକ୍ଷ୍ମୀ ଠାକୁରାଣୀ ବିଳମ୍ବରେ ବିଜେ କରିଥିଲେ। ଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଭୋର୍ ୪ଟା ୩୫ରେ ହୋଇଥିଲା। ଫଳରେ ଆଜି ଭୋର ୪ଟାରେ ହେବାକୁ ଥିବା ଦ୍ବାରଫିଟା ସକାଳ ୬ଟା ୫୫ରେ ହୋଇଥିଲା। ଏହା ପରେ ସମସ୍ତ ନୀତି ବିଳମ୍ବରେ ଚାଲିଥିଲା। ସକାଳ ଧୂପ ଅପରାହ୍ନ ୧ଟା ୧୦ରେ ଶେଷ ହୋଇଥିଲା। ସେହିଭଳି ମଧ୍ୟାହ୍ନ ୧୨ଟା୩୦ରେ ହେବାକୁ ଥିବା ରଥ ଆଜ୍ଞା ମାଳ ବିଜେ ଅପରାହ୍ନ ୨ଟା ୪୦ରେ ହୋଇଥିଲା। ରଥ ଆଜ୍ଞାମାଳ ବିଜେ ପରେ ଅପରାହ୍ନ ୩ଟା ୦୫ରେ ରଥ ଦକ୍ଷିଣ ମୋଡ଼ ହୋଇଥିଲା।