ପୁରୀ (ଏଟିଆର ବ୍ୟୁରୋ):ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କାରିଗରଙ୍କ ହାତକୁ ନାହିଁ ଫୁରସତ । ରଥଖଳାରେ ଗୁରୁବାର ରଥରେ ଗରଗରା କାଠ ପଡିଛି । ୫ ଦଣ୍ଡାରେ ଦୁଇଟି ଗରାଗରା ରଖାଯାଇ କଣ୍ଟା ବାଡିଆ ହୋଇଛି । ନିରାଡି ଉପରେ ଦୁଇଟି ଲେଖାଁଏ ପୋଲ ଗୟଳ ଲଗାଯାଇଛି । ଗରଗରା କାଠରେ ଚାରିନାହାକା ଉଠିବା ପରେ ରଥର ଉପରି ଅଂଶ କାମ ଆରମ୍ଭ ହେବ । ସେଥିପାଇଁ ଚାରିନାହାକା ଉଠିବା ଲାଗି ପ୍ରସ୍ତୁତି ଶେଷ ହୋଇଛି ।
ସେହିପରି ଗୁରୁବାର ଜଗତପୃଷ୍ଠ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରଥଖଳାରେ ପ୍ରସ୍ତୁତି ହୋଇ ରହିଛି ଚାରି ନାହାକା । ଗୟଳ ପଡିବା ସମ୍ପୂର୍ଣ୍ଣ ହେବା ପରେ ପଟା ବାଡିଆ ହୋଇ ରଥ ଚଟାଣ ନିର୍ମାଣ ହେବ ।
ଅନ୍ୟପଟେ ସିଂହାସନ ଖୋଦେଇ କାମ କରୁଛନ୍ତି ରୂପକାର ସେବକ । ୧୪ ନାହାକା ଓ ଧମକ ପ୍ରସ୍ତୁତ ହୋଇ ରହିଛି ।