ଯାଜପୁର (ଏଟିଆର ବ୍ୟୁରୋ): ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ଏନେଇ ନୀତି ନିର୍ଘଣ୍ଟ ହୋଇଛି । ମା’ଙ୍କର ରଥଯାତ୍ରା ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । ଏହାସହିତ କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ସାଧାରଣ ଲୋକଙ୍କ ଭିଡ ନ ଜମିବା ପାଇଁ ୧୪୪ ଧାରା ଜାରି କରାଯିବ ।
ସେହିପରି ରଥଯାତ୍ରାରେ ସାମିଲ ହେବାକୁ ଥିବା ମା’ ବିରଜାଙ୍କ ସମସ୍ତ ସେବାୟତଙ୍କର କରୋନା ଟେଷ୍ଟ କରାଯିବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।
ରାଜ୍ୟରେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ମା’ ବିରଜାଙ୍କର ରଥ ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ମାତ୍ର ପରେ ହାଇକୋର୍ଟଙ୍କ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ ।