ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦୀର୍ଘ ସାତ ମାସରୁ ଅଧିକ ସମୟ ହେବ ବନ୍ଦ ହୋଇଥିବା ସବରିମାଲା ମନ୍ଦିର ଆଜି ସକାଳୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ସକାଳୁ ସକାଳୁ ମନ୍ଦିର ଯାଇ କିଛି ଭକ୍ତ ଦର୍ଶନ କରିଛନ୍ତି । ମାସିକ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା କିନ୍ତୁ ଆଜି ସକାଳୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ମନ୍ଦିର । ଆଗାମୀ ଅକ୍ଟୋବର ୨୧ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରି ପାରିବେ ଶ୍ରଦ୍ଧାଳୁ ।
ମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କ କୋଭିଡ୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଦେଶରେ ଲକ୍ ଡାଉନ ହେବା ପରେ ପ୍ରଥମ ଥର ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।
ଦର୍ଶନ ପାଇଁ ଶନିବାର ଡିଜିଟାଲ ମାଧ୍ୟମରେ ୨୪୬ ଲୋକ ବୁକିଂ କରିଛନ୍ତି । ପ୍ରତ୍ୟେକ ଦିନ ଦର୍ଶନ ପାଇଁ କେବଳ ୨୫୦ ଲୋକଙ୍କୁ ଅନୁମତି ଦିଆଯିବ । ୧୦ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ମନ୍ଦିରରେ ଦର୍ଶନ କରି ପାରିବେ କିନ୍ତୁ ସେମାନଙ୍କ ନିକଟରେ ଚିକିତ୍ସା ପ୍ରମାଣପତ୍ର ରହିବା ନିହାତି ଆବଶ୍ୟକ ।