ପୁରୀ (ଏଟିଆର ବ୍ୟୁରୋ): କାଳିଆର ଲୀଳା ଅପୂର୍ବ । ତାର ଦର୍ଶନ ନିମନ୍ତେ କାହୁଁ କେତେ ଆଡୁ ଶ୍ରୀମନ୍ଦିରକୁ ଧାଇଁ ଆସିଥାନ୍ତି ଭକ୍ତ । ଏହାସହିତ ଭକ୍ତଙ୍କ ଡାକରେ ବର୍ଷକରେ ଥରେ ବଡ ଦାଣ୍ଡକୁ ଓହ୍ଲାଇଥାନ୍ତି ମହାପ୍ରଭୁ । ଭାଇ ଓ ଭଉଣୀଙ୍କ ସହିତ ରତ୍ନବେଦୀରୁ ଓହ୍ଲାଇ ରଥାରୁଢ ହେବା ପରେ ଜନ୍ମବେଦୀ ଙ୍କୁ ଯାତ୍ରା କରିଥାନ୍ତି । ଯାହା ରଥଯାତ୍ରା ଭାବେ ପ୍ରସିଦ୍ଧ । ରଥଯାତ୍ରାର ବିଶେଷତ୍ୱ ହେଉଛି କାଠ ନିର୍ମିତ ରଥ । ତେବେ ଆଜି ଆସନ୍ତୁ ଜାଣିବା ମହାପ୍ରଭୁ ଶ୍ରିଜଗନ୍ନାଥଙ୍କ ନନ୍ଦିଘୋଷ ରଥର ବିଶେଷତ୍ୱ ।
ମହାବାହୁ ଜଗନ୍ନାଥ ବସୁଥିବା ନନ୍ଦିଘୋଷ ରଥ ମୋଟ ୭୪୨ଖଣ୍ଡ କାଠରେ ତିଆରି ହୋଇଥାଏ । ଏବଂ ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ ।
ସର୍ବମୋଟ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ରହିଥାଏ । ତେବେ ସେହି ଚକ ଗୁଡିକର ନାମ ଯଥାକ୍ରମେ ପ ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ । ସେହିଭଳି ପ୍ରତ୍ୟେକ ଚକର ଉଚ୍ଚତା କଥା ଯଦି ଦେଖିବା ପ୍ରତ୍ୟକ ଚକର ଉଚତା ୬ ଫୁଟ ରହିଥାଏ।ସେହିପରି ନନ୍ଦିଘୋଷ ରଥର ସାରଥି ହେଉଛନ୍ତି ମାତଳୀ । ନନ୍ଦିଘୋଷ ରଥର ଦଉଡ଼ିର ମାମ ଶଙ୍ଖଚୂଡ଼ ।
ପରମ୍ପରା ମୁତାବକ ଏହି ରଥରେ ଧଳାରଙ୍ଗର ଚାରୋଟି ଘୋଡ଼ା ଯଥା ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶଙ୍କୁ ସ୍ଥାପନ କରାଯାଏ । ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ଧ୍ୱଜପମୂର୍ତ୍ତି ପଞ୍ଚମୁଖୀ ହନୁମାନ ମଧ୍ୟ ଏହି ରଥରେ ବିରାଜମାନ ରହିଥାନ୍ତି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ନନ୍ଦିଘୋଷ ରଥ ନିର୍ମାଣ ହୋଇଥାଏ ।
ନନ୍ଦିଘୋଷ ରଥରେ ପାର୍ଶ୍ୱ ଦେବଦେବୀ ଭାବରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ଅବସ୍ଥାନ କରିଥାନ୍ତି ।