ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଥିଲା ଦଳ ବଦଳ ପର୍ବ । କିଏ ଦଳରୁ ତଡା ଖାଇବା ପରେ ଅନ୍ୟ ଦଳରେ ମିଶିଛି ତ ଆଉ କିଏ ନିଜର ସ୍ୱାର୍ଥ ଆଶାରେ ନୂଆ ଦଳରେ ଯୋଗ ଦେଇଛି । ତେବେ ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ନେତା ଦଳ ବଦଳ କରିଥିବା ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ପାଇଁ କେତେକ ବିରୋଧୀ ଦଳର ନେତା ବିଜେଡିରେ ଯୋଗ ଦେଇଛନ୍ତିି । ବିଜେଡିରେ ଯୋଗ ଦେଇ ଶଙ୍ଖ ଫୁଙ୍କିବା ପରେ କେଉଁ ନେତାଙ୍କୁ ମିଳିଛି ସଫଳତା ତ ଆଉ କାହାକୁ ହେବାକୁ ପଡିଛି ନିରାଶ ।
ତେବେ ଆସନ୍ତୁ ନଜର ପକାଇବା ବିଜେଡିରେ ଯୋଗ ଦେବା ପରେ କାହାକୁ ମିଳିଛି ଟିକେଟ
ସୁନିତା ବିଶ୍ୱାଳ; ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ହେଉଛନ୍ତି ସୁନିତା ବିଶ୍ୱାଳ । ସେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ ସୁଦ୍ଧା କିଛିଦିନ ତଳେ ସେ ବିଜେଡିରେ ଯୋଗ ଦେଇଥିଲେ । ସୁନ୍ଦରଗଡରେ ସୁନିତାଙ୍କ ଲୋକ ପ୍ରିୟତା ଭଲ ରହିଛି । ଆଦିବାସୀ ଭୋଟ ବ୍ୟାଙ୍କ ଏବଂ ମହିଳାଙ୍କ ଭୋଟ ହାତେଇବା ଉଦ୍ଦେଶ୍ୟରେ ବିଜେଡି ସୁନିତାଙ୍କୁ ସୁନ୍ଦରଗଡ ସାଂସଦ ଟିକେଟ ଦେଇଛି ।
ଚନ୍ଦ୍ର ଶେଖର ସାହୁ-କଂଗ୍ରେସ ପକ୍ଷରୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବରେ କାମ କରିଛନ୍ତି ଚନ୍ଦ୍ରଶେଖର । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ତାଙ୍କର ଭଲ ଲୋକପ୍ରିୟତା ରହିଥିଲା । ତେବେ ସେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ଅମାନତ ହାରିଥିଲେ । କିଛିଦିନ ତଳେ ବିଜେଡିରେ ଯୋଗ ଦେବା ପରେ ଏବେ ସିଦ୍ଧାନ୍ତଙ୍କ ଟିକେଟ କାଟି ଚନ୍ଦ୍ର ଶେଖରଙ୍କୁ ମିଳିଛି ସାଂସଦ ଟିକେଟ ।
ନବ ଦାସ- କଂଗ୍ରେସକୁ ବାଏ ବାଏ କହି ବିଜେଡିରେ ଯୋଗ ଦେଇଥିଲେ ଝାରସୁଗୁଡା ବିଧାୟକ ନବ ଦାସ । ରାଜ୍ୟ ରାଜନୀତିରେ ଜଣେ ତୁଙ୍ଗ ନେତା ଭାବରେ ସେ ବେଶ ପରିଚିତ । ତେବେ ବିଜେଡିରେ ଯୋଗ ଦେବା ପରେ ସେ ଝାରସୁଗୁଡାରେ ବିଜେଡି ଟିକେଟ ହାତେଇଛନ୍ତି ।
ଯୋଗେଶ ସିଂହ-ସୁନ୍ଦରଗଡରେ କଂଗ୍ରେସ ପକ୍ଷରୁ ବିଧାୟକ ହୋଇଥିଲେ ଯୋଗେଶ ସିଂହ । ବିଜେଡିରେ ଯୋଗ ଦେବା ପରେ ତାଙ୍କ ଉପରେ ଭରଷା କରି ସୁନ୍ଦରଗଡରେ ଟିକେଟ ଦେଇଛି ଦଳ ।
କଳାହାଣ୍ଡି ଭବାନୀପାଟଣାର କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାଏକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ଦୁଷ୍ମନ୍ତଙ୍କୁ ଭବାନୀପାଟଣା ବିଧାନସଭା ଟିକେଟ୍ ଦେଇ ବିଜୟ ଭରସା ରଖିଛନ୍ତି ।
ବିକ୍ରମ ପଣ୍ଡା- ବ୍ରହ୍ମପୁର ଆସନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ ବିକ୍ରମ ପଣ୍ଡା । କଂଗ୍ରେସରେ ଯୁବ ନେତା ବିକ୍ରମ ଚାରିଥର ବିଜେଡିର ଅଭିଜ୍ଞ ନେତା ରମେଶ ଚାଉ ପଟ୍ଟନାୟକଙ୍କଠାରୁ ୪ଥର ନିର୍ବାଚନ ହାରିଛନ୍ତି । କିନ୍ତୁ ବିଜେଡିରେ ଯୋଗ ଦେବା ପରେ ଯୁବ ନେତା ବିକ୍ରମଙ୍କୁ ଟିକେଟ ଦେଇଛି ଦଳ ।