ପୁରୀ (ଏଟିଆର ବ୍ୟୁରୋ): ଜଗା ଦର୍ଶନ ପାଇଁ ନୂଆବର୍ଷରେ ଲାଗିବ ଭକ୍ତଙ୍କ ଭିଡ । ଡିସେମ୍ବର ୩୧ ଓ ଜାନୁଆରୀ ୧ ଏହି ଦୁଇ ଦିନ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏନେଇ ପୁରୀ ବଡ ଦାଣ୍ଡର ସମସ୍ତ ଦୋକାନ ବଜାର ଦୁଇଦିନ ବନ୍ଦ ରହିବ । ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଟ କରାଯିବା ସହ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ଲାଗି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାମାନ କରାଯାଇଛି ।
ନୂଆବର୍ଷରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କିଭଳି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।