ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ମହାପ୍ରଭୁଙ୍କ ରଥଯାତ୍ରା । କିନ୍ତୁ ଚଳିତବର୍ଷ ପୁରୀକୁ ବାଦ୍ ଦେଲେ ଅନ୍ୟ କେଉଁ ସ୍ଥାନରେ ରଥଯାତ୍ରା ହେବ ନାହିଁ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ସ୍ଥାନମାନଙ୍କରେ ରଥଯାତ୍ରା କରିବାର ଅନୁମତି ଦେବା ପାଇଁ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ଏକାଧିକ ପିଟିସନ ଦାଖଲ କରାଯାଇଥିଲା ।
ଏସର୍ମ୍ପକିତ ପିଟିସନ ଓଡିଶା ହାଇକୋର୍ଟ ପକ୍ଷରୁ ମଧ୍ୟ ପୂର୍ବରୁ ଖାରଜ କରାଯାଇଥିଲା । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସରକାର କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି କିନ୍ତୁ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ନାହିଁ ।
ସୁପ୍ରିମକୋଟ ବି ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି କି, ବହୁତ ଦୁଃଖ ଲାଗୁଛି କିନ୍ତୁ କିଛି କରି ହେବ ନାହିଁ । ଆସନ୍ତା ବର୍ଷ ରଥଯାତ୍ରା ନିମନ୍ତେ ଭଗବାନ ଅନୁମତି ଦେବେ ବୋଲି ଆଶା କରିବା ।