ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବ ଦେବ ମହାଦେବ ତଥା କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ପାଇଁ କାହିଁ କେଉଁ ଆଡୁ ଦର୍ଶନାର୍ଥୀ ମାନେ ବାରଣାସୀ ଛୁଟି ଆସିଥାନ୍ତି । ମାତ୍ର ଏବେ କାଶୀ ବିଶ୍ୱନାଥରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେବ ଡ୍ରେସ୍ କୋଡ । ବାବାଙ୍କ ବିଗ୍ରହଙ୍କୁ ସ୍ପର୍ଶ କରିବା ପାଇଁ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଧୋତି ଏବଂ ମହିଳା ଶଦ୍ଧାଳୁଙ୍କ ପାଇଁ ଶାଢୀ ଅନିବାର୍ଯ୍ୟ । ଡ୍ରେସ୍ କୋଡ ପିନ୍ଧିବା ପରେ ହିଁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବାର ଅନୁମତି ମିଳିବ ।
ଅନ୍ୟ ପ୍ୟାଣ୍ଟ, ସାର୍ଟ ଏବଂ ସୁଟ୍ ପିନ୍ଧା ଶ୍ରଦ୍ଧାଳୁ କେବଳ ବାବାଙ୍କ ଦର୍ଶନ କରି ପାରିବେ କିନ୍ତୁ ସ୍ପର୍ଶ କରି ପାରିବେ ନାହିଁ । ମକର ସଂକ୍ରାନ୍ତି ପରେ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବ । ରବିବାର ଦିନ ମନ୍ଦିର ପ୍ରଶାସନ ଏବଂ କାଶୀ ବିଦବତ ପରିଷଦ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ଧର୍ମାର୍ଥ କାର୍ଯ୍ୟ ମନ୍ତ୍ରୀ ଡାଃ ନୀଳକଣ୍ଠ ତିୱାରି ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ସେ କାଶୀ ବିଦବତ ପରିଷଦର ସଦସ୍ୟଙ୍କ ସାମ୍ନାରେ ସ୍ପର୍ଶ ଦର୍ଶନ ବ୍ୟବସ୍ଥାର ପରିବର୍ତ୍ତ ନ ପାଇଁ ଏହି ପ୍ରସ୍ତାବ ରଖିଛନ୍ତି ।
ଉଜୈନ ସ୍ଥିତ ମହାକାଳ ଜ୍ୟୋର୍ତିଲିଙ୍ଗ, ରାମେଶ୍ୱରମ ଏବଂ ସମରୀମାଲା ମନ୍ଦିରର ଉଦାହରଣ ଦେଇ ବିଦବତ ପରିଷଦର ସଦସ୍ୟ କହିଛନ୍ତି, ମହାକାଳରେ ଭସ୍ମ ଆଳତୀ ସମୟରେ ବିଗ୍ରହଙ୍କୁ ସ୍ପର୍ଶ କଲେ ଧୋତି ପିନ୍ଧାଯାଏ । ଅନ୍ୟ ଶ୍ରଦ୍ଧାଳୁ ମାନେ କେବଳ ଦର୍ଶନ କରନ୍ତି କିନ୍ତୁ ସ୍ପର୍ଶ କରନ୍ତି ନାହିଁ । ସେହିପରି କାଶୀ ବିଶ୍ୱନାଥ ମନ୍ଦିରରେ ବି ଏହି ବ୍ୟବସ୍ଥା ଲାଗୁ ହେବା ଉଚିତ୍ ।