ପୁରୀ (ଏଟିଆର ବ୍ୟୁରୋ); ଆଜି ହେଉଛି ପବିତ୍ର ହେରା ପଞ୍ଚମୀ । ମାଉସୀ ମା ଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ରହିଛନ୍ତି ଚତୁର୍ଦ୍ଧା ମୁରତୀ । ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ମା’ ଭଗନୀ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ମା’ ବିମଳାଙ୍କଠାରୁ ପରାମର୍ଶ ମିଳିଛି। ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ଗୋପନ ଯାତ୍ରାରେ ଯାଇ ରଥ ଭାଙ୍ଗି ଫେରିବେ।
ପରମ୍ପରା ମୁତାବକ ନନ୍ଦିଘୋଷର ଏକ ପଟା ଭଙ୍ଗାଯିବ । ଆଜିର ନୀତିବହୁଳ ଦିନଟି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ । ଆଡ଼ପମଣ୍ଡପ ତଥା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏହାସହ ଆଡପ ଅଭଡା ପାଇବାକୁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସେହିପରି ଗତକାଲି ରାତିରେ ଜନ୍ମବେଦୀରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି।
ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି।