ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏନେଇ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଭିତରେ ଉତ୍ସବ ପାଳନ କରାଯାଉଛି । ସମସ୍ତେ ନିଜ ନିଜ ଘରେ ରହି ପର୍ବ ପାଳନ କରୁଛନ୍ତି । ସାମୁହିକ କାର୍ଯ୍ୟ ଉପରେ କଟକଣା ଲାଗି ରହିଛି । କେହି କାହା ଘରକୁ ଯାଇ ପାରୁ ନାହାନ୍ତି ନିଜ ନିଜ ଘରେ ରହି ପର୍ବ ପାଳୁଛନ୍ତି ।
କୃଷି ଭିତ୍ତିକ ଏହି ପର୍ବ ନବାନ୍ନ ଭାବେ ଜଣା । ଗଣେଶ ପୂଜା ପର ଦିନ ତଥା ଭାଦ୍ରବ ମାସ ଶୁକ୍ଳ ପଞ୍ଚମୀରେ ପାଳିତ ହୋଇଥାଏ । ଧାନ ଅମଳ ହେବା ଖୁସୀରେ ଚାଷୀମାନେ ଏହି ପର୍ବକୁ ପାଳନ କରିଥାନ୍ତି । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କ ଠାରେ ଭୋଗ ଲଗାଇ ଏହାକୁ ସେବନ କରିଥାନ୍ତି । ଯାହାକୁ ନୂଆଁଖାଇ ବୋଲି କୁହାଯାଏ । ଏହାକୁ ଭାଇଚାରର ପର୍ବ ବୋଲି କୁହାଯାଏ । ଏହି ଅବସରରେ ସମସ୍ତେ ପରସ୍ପରର ରାଗ , କ୍ରୋଧକୁ ଭୁଲି ଶୁଭମନାସିବା ସହ ଅଭିବାଦନ ଜଣାଇଥାନ୍ତି ।