ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପ୍ରବିତ୍ର ଜାଗର । ଜାଗର ଉପଲକ୍ଷେ ରାଜ୍ୟର ଶିବାଳୟଗୁଡିକରେ ଭକ୍ତଙ୍କ ଭିଡ ଜମିଛି । ସକାଳୁ ସକାଳୁ ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିରଗୁଡିକରେ ଭିଡ ଜମାଇଛନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଲୋକନାଥ, ଧବଳେଶ୍ୱର, ଚନ୍ଦ୍ରଶେଖର ଓ ବାବା ଆଖଣ୍ଡଳମଣିଙ୍କ ସମେତ ରାଜ୍ୟ ସମସ୍ତ ଶୈବପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି।ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କିଭଳି ଉତ୍ତମ ଭାବେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।
ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର୍ଯ୍ୟାୟରେ ସୁଯୋଗ ରହିଛି । ପ୍ରଥମ ପର୍ଯ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଓ ଶେଷ ପର୍ଯ୍ୟାୟରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟାୟରେ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି। ୧୦ଟା ରାତିରେ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି।ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।
ଜାଗର ଯାତ୍ରା ପାଇଁ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଚଳଚଞ୍ଚଳ। ରାତି ସାଢେ ୧୨ଟାରେ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ନୀତି ଏବଂ ରାତି ୨ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅନୁଷ୍ଠିତ ହେବ । ଏହାପରେ ରାତି ୨ଟାରୁ ୩ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା ସହ ପୋଲିସ କଣ୍ଟ୍ରଲ ରୁମ୍ ସ୍ଥାପନ କାରଯାଇଛି । ସିସିଟିଭି ଦ୍ୱାରା ଦର୍ଶନ, ନୀତି ଓ ଯାତ୍ରୀ ସମାଗମ ଉପରେ ନଜର ରଖାଯାଇଛି । ଲୋକନାଥଙ୍କ ପୀଠ ପରିସରରେ ୧୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।ପୁରୀ ଲୋକନାଥଙ୍କ ପୀଠରେ ଭୋର୍ ୪ଟାରେ ମହାଦୀପ ଉଠିବା ପାଇଁ ସମୟ ଧାର୍ୟ୍ୟ ହୋଇଛି।