ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ରୀ । ଏନେଇ ଜମ୍ମୁ-କାଶ୍ମୀରର ବୈଷ୍ଣୋ ଦେବୀ ଧାମ ଫୁଲରେ ସଜେଇ ହୋଇଛି । କେବଳ ଏତିକି ନୁହେଁ ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ସେପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଅଲର୍ଟ ରହିଛି । ଯେପରି କୌଣସି ପ୍ରକାରର ଅସୁବିଧା ନହେବ ସେନେଇ ବୈଷ୍ଣୋ ଦେବୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।
ଗୁଇନ୍ଦା ସୂଚନା ମୁତାବକ,ପାର୍ବଣ ଋତୁରେ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କି ଷଡଯନ୍ତ୍ର ରଚୁଛି । ଏହାପରେ ଏବେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡା କଡି କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟୁଆରଟି ମୁତୟନ କରାଯାଇଛି । ଯେଉଁଥିରେ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ଯବାନ ବି ସାମିଲ ରହିବେ ।
ସେହିପରି ମାତା ବୈଷ୍ଣୋ ଦେବୀ ଟ୍ରଷ୍ଟ ବୋର୍ଡର ସିଇଓ କହିଛନ୍ତି କି,ଭବନରେ ସାନିଟାଇଜେସନର ପ୍ରବନ୍ଧ କରାଯାଇଛି । ମାତାଙ୍କ ଦରବାରକୁ ଫୁଲରେ ସଜା ଯାଉଛି । ଯେଉଁଭଳି ଭାବେ ଗତବର୍ଷ ନବରାତ୍ରିରେ ଭଜନ ବ୍ୟବସ୍ଥା କରାଯାଇଥିଲା ସେହିଭଳି ଚଳିତବର୍ଷ ବି ବ୍ୟବସ୍ଥା କରାଯାଇଛି । ଏହାସହିତ ବାହାର ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଛି ।
ଏହାପୁର୍ବରୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀ (ଏମଏମବିଡ) ର ମୋବାଇଲ ଆପ୍ ଲଞ୍ଚ କରିଛନ୍ତି । ଯାହାଦ୍ୱାରା ସାରା ଦୁନିଆର ଶ୍ରଦ୍ଧାଳୁ ଘରେ ବସି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିପାରିବେ ।