ପୁରୀ (ଏଟଇଆର ବ୍ୟୁରୋ): ଲଗାତର ଚାପ ଖେଳିବା ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ ଶ୍ରୀଜିଉଙ୍କ ମହାସ୍ନାନ ନୀତି । ଯାହାକୁ ସ୍ନାନ ଯାତ୍ରା ବୋଲି କୁହାଯାଇଥାଏ । ଗତକାଲି ଶ୍ରୀଜିଉଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରିସରରେ ଥିବା ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ସୁବିସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଶ୍ରୀଜିଉ । ୧୫ ଦିନ ଯାଏଁ ଅଣସରପିଣ୍ଡିରେ ରହିବେ ମଣିମା । ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ୟ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ ।
ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ପସି ଶ୍ରୀଜିଉଙ୍କୁ ସୁସ୍ଥ କରିବା ଲାଗି ଉପଚାରମାନ କରିଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ୟ୍ୟ କରନ୍ତି ।