ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ରସଗୋଲା ଓଡିଶା ପାଇଁ ଆଣିଥିଲା ମିଠା ଖବର । ରାଜ୍ୟର ହୋଇଥିଲା ବଡ ବିଜୟ । ଓଡିଶାର ରସଗୋଲାକୁ ମିଳିଥିଲା ବଡ ସଫଳତା । ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ । ଯାହାକୁ ନେଇ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ରସଗୋଲାକୁ ଟ୍ୟାଗ ମିଳିବା ପରେ ଏବେ ଆରିସା,ଛେନାପୋଡ ଏବଂ ରସାବଳି ପାଇଁ ଅଣ୍ଟା ଭିଡିଛି ରାଜ୍ୟ । ଏହି ତିନୋଟି ମିଠାକୁ ମଧ୍ୟ ଜିଆଇ ଟ୍ୟାଗ ମିଳୁ ବୋଲି ବିଧାନସଭାରେ ପ୍ରସଙ୍ଗ ଉଠିଛି ।
ଗତକାଲି ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଧାୟକମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସତର୍କ କରାଇ ଦେଇଥିଲେ, ଆଉ କେହି ହକ୍ ଛଡ଼ାଇନେବା ପୂର୍ବରୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଉଚିତ୍।କାକରା, ଆରିସା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ଗୃହ ବାହାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାର ପିଠା ଆରିସା, ମଣ୍ଡା, କାକରା ଆଦିକୁ ଜିଆଇ ମାନ୍ୟତା ମିଳିବା ଦରକାର ।
ରାଜ୍ୟ ସରକାର ତୁରନ୍ତ ଏଗୁଡ଼ିକର ଭୌଗଳିକ ମାନ୍ୟତା ଦାବି କରି କେନ୍ଦ୍ର ସରକାରଙ୍କୁ ଜଣାଇବା ଉଚିତ୍। ପରେ ମନ୍ତ୍ରୀ କହିଥିଲେ, ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଆମେ ଗର୍ବିତ। ଆରିସା, ଛେନାପୋଡ, ରସାବଳୀ ଜିଆଇ ଟ୍ୟାଗ୍ ପାଇଁ ତଥ୍ୟ ସଂଗ୍ରହ ହେବ। ଏହା ପରେ ଆବେଦନ କରାଯିବ। ବର୍ତ୍ତମାନ ଇଥିଓପିଆରେ ପରସା ଯାଉଥିବା ଖାଦ୍ୟ ସହିତ ଓଡ଼ିଶା ଖାଦ୍ୟ ପ୍ରଣାଳୀର ଅନେକ ସାମଞ୍ଜସ୍ୟ ରହିଛି। ଆମ ଖାଦ୍ୟପ୍ରଣାଳୀ ହେଉ କିମ୍ବା ମିଷ୍ଟାନ୍ନ ଗୁଡ଼ିକ ଉପରେ କେହି ନଜର ପକାଇବା ପୂର୍ବରୁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବଦେନ କରିବା ଉଚିତ। ବିେଶଷକରି ଆରିସା, ରସାବଳୀ ଆଦି ପାଇଁ ପଦକ୍ଷେପ ନେବା ଉଚିତ୍।
ତେବେ ଏହି ତିନୋଟି ମିଠାକୁ ଟ୍ୟାଗ ମିଳିଲେ ଓଡିଶାର ଜନସାଧାରଣ ବେଶ ଖୁସି ହେବେ । କାରଣ କାରିଗରମାନେ ବହୁ କଷ୍ଟରେ ତିଆରି କରିଥାନ୍ତିି । ଯାହାକି କାଳ କାଳରୁ ତିଆରି ମଧ୍ୟ କରି ଆସିଛନ୍ତି । କିନ୍ତୁ ଆମଠାରୁ ଶିଖିବା ପରେ ଯଦି ଅନ୍ୟ କେହି ଏହାକୁ ଛଡାଇ ନିଏ ତେବେ ବହୁତ କଷ୍ଟ ହେବ । ଏଣୁ ଆଗୁଆ ଏହି ସବୁ ଖାଦ୍ୟକୁ ଟ୍ୟାଗ ମିଳିବା ପାଇଁ ଆବେଦନ କରିବା ଦରକାର । ତେବେ ବାକି ରହିଲା କେବେ ସରକାର ଏଥିପ୍ରତି ନଜର ଦେଉଛନ୍ତି ।