(ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ସପ୍ତାହକ ସାତ ଦିନ ଯାଏ ଅଲଗା ଅଲଗା ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ସୋମବାରକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ତ୍ରିଦେବ ମଧ୍ୟରୁ ଜଣେ ହେଉଛନ୍ତି ଶିବ । କୁହାଯାଏ କି ଭଗବାନ ଶିବ ଖୁବ୍ ଦୟାଳୁ । ମାନ୍ୟତା ରହିଛି କି ଯଦି ଶିବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ ତେବେ ଆପଣଙ୍କ କୌଣସି ସଙ୍କଟର ସାମ୍ନା କରିବାକୁ ପଡିବ ନାହିଁ । ଶ୍ରଦ୍ଧା ଓ ଭକ୍ତି ମନରେ ସୋମବାର ଶିବଙ୍କୁ ପୂଜିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ଭଗବାନ ଶିବ । ସେଥିପାଇଁ ଲୋକେ ସୋମବାର ବ୍ରତ ରଖିଥାନ୍ତି ଏବଂ ଶିବ ମନ୍ଦିର ଯାଇ ବେଲ ପତ୍ର ଚଢାଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ସୋମବାର କାହିଁକି କରାଯାଏ ଭଗବାନ ଶିବଙ୍କ ପୂଜା ।
ସୋମବାର ଦିନ ଶିବଙ୍କ ପୂଜା ସହିତ ବ୍ରତ ମଧ୍ୟ ରଖାଯାଇଥାଏ । ଏହିଦିନ ରଖାଯାଉଥିବା ବ୍ରତକୁ ସୋମେଶ୍ୱର ବ୍ରତ ନାମରେ ଜଣା ଯାଇଥାଏ । ଯାହାର ଅର୍ଥ ସୋମଙ୍କ ଇଶ୍ୱର ଅର୍ଥାତ ଚନ୍ଦ୍ରମାଙ୍କ ଇଶ୍ୱର, ଯିଏ ଭଗବାନ ଶିବ । ପୌରାଣିକ କଥାନୁସାରେ ଏହିଦିନ ଚନ୍ଦ୍ରଦେବ ଭଗବାନ ଶିବଙ୍କ ଆରାଧନା କରି ନିଜୟ କ୍ଷୟ ରୋଗରୁ ମୁକ୍ତ ହୋଇଥିଲେ । ସେଥିପାଇଁ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ପାଇଁ ଉତ୍ତମ ହୋଇଥାଏ ।
ସୋମ ର ଏକ ଅର୍ଥ ସୌମ୍ୟ ମଧ୍ୟ । ଭଗବାନ ଶଙ୍କରଙ୍କୁ ଶାନ୍ତ ଦେବତା ବୋଲି କୁହାଯାଇଥାଏ । ସହଜ, ସରଳ ଏବଂ ବିନମ୍ର ହେବା ଯୋଗୁଁ ଶିବଙ୍କୁ ସୋମବାରର ଆଧିପତ୍ୟ ଦେବତା ବୋଲି କୁହାଯାଇଥାଏ ।