ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଏକାଦଶୀ ଏବଂ ଆଜିର ଦିନରେ ତୁଳସୀ ବିବାହ କରାଯାଇଥାଏ । ହୁଏତ ବହୁତ କମ ଲୋକ ଜାଣିଥିବେ କି ଭଗବାନ ଶ୍ରୀ ଗଣେଶଙ୍କ ପାଖରେ ତୁଳସୀ ଲାଗି ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ..
କଥା: ପୁରାତନ ଯୁଗରେ ଧର୍ମାତ୍ମଜ ନାମକ ଜଣେ ରାଜା ଥିଲେ । ତାଙ୍କର ତୁଳସୀ ନାମକ ଏକ କନ୍ୟା ସନ୍ତାନ ଥିଲେ । ଯୌବନବସ୍ଥାରେ ତୁଳସୀ ନିଜର ବିବାହର ଇଚ୍ଛା ନେଇ ତୀର୍ଥ ଯାତ୍ରା କରିବାକୁ ବାହାରି ପଡିଥିଲେ । ସେହି ସମୟରେ ସେ ଅନେକ ସ୍ଥାନ ବୁଲି ଯାତ୍ରା କରିଥିଲେ । ଗୋଟେ ସ୍ଥାନରେ ତରୁଣାବସ୍ଥାରେ ଭଗବାନ ଶ୍ରୀ ଗଣେଶଙ୍କୁ ତପସ୍ୟା କରୁଥିବାର ସେ ଦେଖିବାକୁ ପାଇଲେ । ସେହି ସମୟରେ ଭଗବାନ ଶ୍ରୀ ଗଣେଶଙ୍କର ରୂପ ଅତ୍ୟନ୍ତ ମୋହକ ଏବଂ ଆକର୍ଷଣୀୟ ଥିଲା । ଗଣେଶଙ୍କ ଏହି ରୂପରେ ତୁଳସୀ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବା ପାଇଁ ସେ ତାଙ୍କର ତପସ୍ୟା ଭଙ୍ଗ କରିଦେଇଥିଲେ ।
ଏହାପରେ ଭଗବାନ ଗଣେଶ ନିଜକୁ ବ୍ରହ୍ମଚାରୀ ବୋଲି କହି ତୁଳସୀଙ୍କ ବିବାହ ପ୍ରସ୍ତାବକୁ ଏଡାଇ ଦେଇଥିଲେ । ମାତ୍ର ଗଣେଶଙ୍କ ଏଭଳି ବ୍ୟବହାର ଏବଂ ବିବାହ ପ୍ରସ୍ତାବକୁ ଗ୍ରହଣ ନକରିବାରୁ ତୁଳସୀ ଖୁବ୍ ଦୁଃଖିତ ହୋଇଥିଲେ ଏବଂ ଗୃହକୁ ଫେରି ଗଣେଶ ଭଗବାନ ଦୁଇଟି ବିବାହ କରିବେ ବୋଲି ଅଭିଶାପ ଦେଇଥିଲେ । ଏହାପରେ ଭଗବାନ ଗଣେଶ ରାଗିଯାଇ ତୁଳସୀକୁ ଅସୁର ସହ ବିବାହ କରିବାର ଅଭିଶାପ ଦେଇଥିଲେ । ଶେଷରେ ତୁଳସୀ ତାଙ୍କ ଭୁଲ୍ କୁ ବୁଝିପାରିଲେ ଏବଂ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲେ ।
ଭଗବାନ ଗଣେଶ ତୁଳସୀକୁ କହିଥିଲେ କି, ମୁଁ ରିଦ୍ଧି ଏବଂ ସିଦ୍ଧିଙ୍କ ପତି ହେବି ଏବଂ ତୁମ ବିବାହ ରାକ୍ଷସ ଜଳନ୍ଧର ସହିତ ଅବଶ୍ୟ ହେବ । କିନ୍ତୁ ଶେଷରେ ତୁମେ ଭଗବାନ ବିଷ୍ଣୁ ଏବଂ ଶ୍ରୀ କୃଷ୍ଣଙ୍କ ପ୍ରିୟା ହେବ । ଏହାସହିତ ଭଗବାନ ବିଷ୍ଣୁଙ୍କ ସହିତ ତୁମକୁ ବି ପୂଜା କରାଯିବ କିନ୍ତୁ ମୋ ପୂଜାରେ ତୁଳସୀ ପ୍ରୟୋଗ କରାଯିବ ନାହିଁ ।