ପୁରୀ,(ଏଟିଆରବ୍ୟୁରୋ): ସରକାରୀ ଚାକିରି ଖଣ୍ଡେ ପାଇଲେ ଲୋକଙ୍କ ଖାଦି ବଢ଼ିଯାଏ । ପ୍ରତିଟି ସମୟରେ ସେମାନେ ପ୍ରେଷ୍ଟିଜକୁ ଜଗନ୍ତି । ନିଜ ବିଲବାଡି କାମଧନ୍ଦା କଥା କହିଲେ ବି ସମୟ ଅଭାବ କହି ମୁଲିଆ ହାତରେ ସେମାନେ କାମ କରାଇ ନିଅନ୍ତି । ଏଭଳି ପରିସ୍ଥିତିରେ ଯଦି ସେଭଳି ସରକାରୀ ବାବୁଙ୍କୁ ପରିବେଶ ଲାଗି କିଛି କାମ କରିବାକୁ କୁହାଯାଏ? ହୁଏତ ସେମାନେ ଆଗକୁ ଆସିବାକୁ କୁନ୍ଥକୁନ୍ଥ ହୋଇପାରନ୍ତି । ହେଲେ ଆମେ ଏଭଳି ଜଣେ ସରକାରୀ ବାବୁଙ୍କ କଥା କହୁଛୁ ଯାହାଙ୍କ କାମ ଓ ଇଚ୍ଛାଶକ୍ତି ଦେଖି ଏବେ ସବୁ ଲୋକ ବାହାବାଃ କରୁଛନ୍ତି ।
ଆଜ୍ଞା ହଁ ଆମେ କହୁଛୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଡିଓ ଅଭିମନ୍ୟୁ ମାଝିଙ୍କ କଥା । ଯାହାଙ୍କ ଫାଉଡା ଧରି ଗଛ ଲଗାଇବା ଫଟୋ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ସବୁଠୁ ବଡ଼ କଥା ହେଉଛି ଗୋଟିଏ ଖବର ପାଇ ଗଛ ଲଗାଇବାକୁ ସଙ୍ଗେ ସଙ୍ଗେ ଧାଇଁ ପଳାଇ ଆସିଥିଲେ ଅଭିମନ୍ୟୁ । ପରିବେଶ ଲାଗି ତାଙ୍କ ମନରେ ଥିବା ଏହି ଭାବାବେଗ ଏବେ ସ୍ଥାନୀୟ ଲୋକଙ୍କ ହୃଦୟ ଜିତି ପାରିଛି । ଆଜିକା ସମୟରେ ଲୋକେ ନିଜ ପରିବାର ଓ ନିଜ କଥା ଚିନ୍ତା କରୁଥିବା ବେଳେ ବିଡ଼ିଓ ଅଭିମନ୍ୟୁଙ୍କ ପରିବେଶ ଚିନ୍ତା ନିହାତି ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ରିପୋର୍ଟ ଅନୁସାରେ, ଗ୍ରୀନ ପାରିକୁଦ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନେ ଗଛ ଲଗାଉଥିଲେ । ଏ ଖବର ପାଇବା ମାତ୍ରେ ବିଡିଓ ଅଭିମନ୍ୟୁ ନିଜେ ସେଠି ହାଜର ହୋଇ ଗଲେ । କେହି କିଛି ବୁଝିବା ସୁଝିବା ପୂର୍ବରୁ ସେ ଅଚାନକ୍ ଫାଉଡା ଧରି ଗାତ ଖୋଳିବା ସହ ଗଛ ଲଗାଇବାକୁ ଲାଗିଥିଲେ । ଜଣେ ବିଡ଼ିଓଙ୍କ ଏଭଳି କାର୍ଯ୍ୟଦେଖି ଉପସ୍ଥିତ ଲୋକେ ବି କିଛି ସମୟ ତାଜୁବ ହୋଇ ଯାଇଥିଲେ । ତେବେ ଏନେଇ ବିଡ଼ିଓ ଅଭିମନ୍ୟୁଙ୍କ କହିବା କଥା ହେଲା ବୃକ୍ଷ ଆମର ଜୀବନ । ତେଣୁ ପ୍ରତ୍ୟେକଟି ମଣିଷ ଗୋଟିଏ ଲେଖାଏଁ ଗଛ ଲଗାଇବା ଆବଶ୍ୟକ । ପରିବେଶ ସୁସ୍ଥ ରହିଲେ ଆଗାମୀ ସମାଜ ସୁସ୍ଥ ରହିବ । ଶେଷରେ ଏତିକି କହିବୁ ବିଡ଼ିଓଙ୍କ ଏହି କାର୍ଯ୍ୟକୁ ସବୁ ସ୍ତରରେ ବେଶ ପ୍ରଶଂସା କରାଯାଇଛି ।