ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆରମ୍ଭ ହେଲା ପ୍ରତିବାଦ । ରାଜ୍ୟରେ ବଢ଼ି ଚାଲୁଥିବା ମହିଳା ଓ ନାବାଳିକାଙ୍କ ପ୍ରତି ନିର୍ଯାତନା ଘଟଣା କାହିଁକି ଚପି ଯାଉଛି ସେନେଇ ଏଟିଆର ନ୍ୟୁଜ ଖୁଲାସା କରିବା ପରେ ଆଜି ଏହାର ଜବାବ ମାଗିଛି କଂଗ୍ରେସ । ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ ହିଁ ଜାଣିଶୁଣି ପୂରା ଗେମପ୍ଲାନ ରଚିଥିବା ଅଭିଯୋଗ ଉଠାଇଛି କଂଗ୍ରେସ । ନାବାଳିକା ଓ ଶିଶୁଙ୍କ ସୁରକ୍ଷା ପାଇଁ ରହିଛି ଶିଶୁ ସୁରକ୍ଷା ଆୟୋଗ ।
ହେଲେ ଏଥିରେ ସଦସ୍ୟା ଥିବା ୩ଜଣ ମହିଳା ନିଜ ପଦବୀ ସହ କରିଛନ୍ତି ଧୋକାଦାରୀ । ସରକାରୀ ସୁବିଧା ପାଇବି ଏମାନେ ଶାସକ ଦଳର କର୍ମୀ ହୋଇଛନ୍ତି । ଆମେ କହୁଛୁ ଗୀତାଞ୍ଜଳୀ ବସ୍ତିଆ, ମନ୍ଦାକିନି କର ଓ ନିବେଦିତା ନାୟକଙ୍କ କଥା । ନିୟମ କହୁଛି ଯଦି କୌଣସି ବ୍ୟକ୍ତି ସରକାରୀ ଚାକିରି କରିଥାନ୍ତି ସେମାନେ କୌଣସି ରାଜନୈତିକ ଦଳରେ ରହିପାରିବେ ନାହିଁ? କିନ୍ତୁ ଏହି ନିୟମକୁ ମାଡି ମୋକଚି ଅଳିଆ ଗଦାରେ ପିଙ୍ଗିଛି ବିଜୁ ଜନତା ଦଳ । ଏ କଥା ନୁହେଁ ଯେ, ଏ ସମ୍ପର୍କରେ କିଛି ଜାଣିନଥିଲେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ।
ତେବେ ଏଟିଆରର ଖୁଲାସା ପରେ ଅଧ୍ୟକ୍ଷାଙ୍କ ପାଟି ଖନି ମାରିଯିବା ସହ ସବୁ ଦୋଷ ସେ ମନ୍ତ୍ରୀଙ୍କ ଆଡକୁ ଠେଲିଥିଲେ । ଅଧ୍ୟକ୍ଷା ଜଣାଇଥିଲେ କି’ ସେ ଘଟଣା ସମ୍ପର୍କରେ ମନ୍ତ୍ରୀଙ୍କୁ ଜଣାଇଛନ୍ତି, ହେଲେ ମନ୍ତ୍ରୀ ଚୁପ । ପୂରା ଘଟଣାକୁ ନଜର କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ପୀଡିତାଙ୍କୁ କମ୍ ବରଂ ନିଜ ଦଳର କର୍ମୀ ଓ ନେତାଙ୍କୁ ଅଧିକ ସୁରକ୍ଷା ଦେବା ଲାଗି ଖୋଦ ମୁଖ୍ୟମନ୍ତ୍ରୀ ଏହି ମାଷ୍ଟର ଗେମ ଖେଳିଛନ୍ତି ।
ଆମେ ଏଥିପାଇଁ ଏକଥା କହୁଛୁ କାରଣ ଉଠୁଥିବା ଅଧିକାଂଶ ଅଭିଯୋଗରେ ଛନ୍ଦି ହୁଅନ୍ତି ଶାସକଦଳର ନେତା ଆଉ କର୍ମୀମାନେ । ହେଲେ ତଦନ୍ତ ବେଳକୁ ସବୁ କିଛି ଫୁସ ହୋଇଯାଏ । ଏହାର କାରଣ ଯେଉଁ ବିଭାଗ ଘଟଣାର ତଦନ୍ତ କରେ ସେହି ଶିଶୁ ସୁରକ୍ଷା ଆୟାଗର କର୍ମୀଙ୍କୁ ନିଜ ଦଳରେ ସାମିଲ କରାଯିବା ଏହାର ସବୁଠୁ ବଡ଼ ପ୍ରମାଣ । ସିଧା କହିବାକୁ ଗଲେ ‘ତୁ ଗୁହାରି କରିବୁ ଯାହାକୁ ମୁଁ ବନ୍ଧୁ କରିଛି ତାକୁ’ ନୀତିରେ ଚାଲିଛି ରାଜ୍ୟ ଶାସନ । ସବୁଠୁ ବଡ଼ କଥା ହେଉଛି ଏହି ୩ମହିଳା ପୁଣି ନିକଟରେ ଚାଷୀ ସମାବେଶରେ ଯୋଗ ଦେବା ଲାଗି ଦିଲ୍ଲୀ ଯାଇଛନ୍ତି । ଯାହା ପ୍ରମାଣ କରୁଛି ଏମାନେ ଶିଶୁ ସୁରକ୍ଷା ଆୟୋଗର ନୁହେଁ ବରଂ ବିଜେଡି ଲାଗି ଅଧିକ କାମ କରୁଛନ୍ତି । ସୂଚନାଯୋଗ୍ୟ, ନିକଟରେ ଢ଼େଙ୍କାନାଳ ଓ ପରେ କନ୍ଧମାଳ ଏରିଆରୁ ଆସିଥିଲା ଲୋମଟାଙ୍କୁରା ଭଳି ସଂଗିନ ଅଭିଯୋଗ । ନେତା ଓ କର୍ମୀଙ୍କ ପାଖରେ ଭୋଗ ଲାଗୁଥିଲା କୁନିକୁନି ପିଲାଙ୍କ ଦେହ । ଏଭଳି ସଂଗିନ ଅଭିଯୋଗର ତଦନ୍ତ ଦାୟିତ୍ୱ ଯଦି ଏହି ମହିଳାମାନେ କରିବେ ତେବେ ନ୍ୟାୟ କିଭଳି ମିଳିବ ତାହା ସହଜେ ଅନୁମେୟ ।