ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ୟାନ କାର୍ଡ ପରେ ଏବେ ଡ୍ରାଇଭିଂ ଲାଇସେନ୍ସରେ ଆଧାରକାର୍ଡ ବାଧ୍ୟତାମୂଳକ ହୋଇପାରେ । ଏନେଇ କେନ୍ଦ୍ର ମନ୍ତ୍ରୀ ଶିବଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଯେଉଁଭଳି ଭାବେ କିଛି ଯୋଜନାରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି, ଠିକ୍ ସେହିପରି ଡ୍ରାଇଭିଂ ଲାଇସେନ୍ସକୁ ବି କରାଯିବ ।
ଇଣ୍ଡିଆନ୍ ସାଇନ୍ସ କଂଗ୍ରେସ କାର୍ଯ୍ୟକ୍ରମରେ ଶିବଶଙ୍କର ପ୍ରସାଦ କହିଛନ୍ତି କି, ଡ୍ରାଇଭିଂଲାଇସେନ୍ସରେ ଆଧାର ଲିଙ୍କ ବାଧ୍ୟତାମୂଳକକୁ ନେଇ ସରକାର ଖୁବ୍ ଶୀଘ୍ର ଆଇନ୍ ଲାଗୁ କରିବାକୁ ଯାଉଛନ୍ତି । ପୂର୍ବରୁ କୌଣସି ଦୁର୍ଘଟଣା ହେଲେ ବ୍ୟକ୍ତିି ଫେରାର ହୋଇଯାଉଥିଲେ ଏବଂ କିଛିଦିନ ପରେ ପୁରୁଣା ଲାଇସେନ୍ସକୁ ନଷ୍ଟ କରିଦେଇ ନୂଆ ତିଆରି କରୁଥିଲେ । ମାତ୍ର ଆଧାର ଲିଙ୍କ ହେବା ଦ୍ୱାରା ଏଭଳି ଆଉ କିଛି ହୋଇ ପାରିବ ନାହିଁ । କାରଣ ଆଧାରରେ ନାଁ ସିନା ବଦଳାଇ ଦେଇ ପାରିବ କିନ୍ତୁ ଫିଙ୍ଗର ପ୍ରିଣ୍ଟ ବଦଳାଇ ପାରିବ ନାହିଁ । ଫଳରେ ଅପରାଧୀକୁ ଖୁବ୍ ସହଜରେ ଧରାଯାଇ ପାରିବ ।