ନବରଙ୍ଗପୁର,(ଏଟିଆର ବ୍ୟୁରୋ): ଘର କାନ୍ଥ ଫାଟି ଆଁ କରିଛି । ଚାଳ ଛପରକୁ ଦେଖିଲେ ଜହ୍ନ ଦିଶୁଛି । ଘରକୁ ବାଗେଇବା ଲାଗି ପାଖରେ ଟଙ୍କାଟିଏ ବି ନାହିଁ । ରାଜ୍ୟ ସରକାର ଗରୀବଙ୍କ ପାଇଁ କାହିଁ କେତେ ଯୋଜନା କରୁଥିବା ବେଳେ ଏମାନଙ୍କ ପାଇଁ ଯେମିତି ସେହି ଯୋଜନା କେବଳ ସ୍ୱପ୍ନରେ ହିଁ ରହିଯାଇଛି ।
ଏ କଥା ନୁହେଁ ଯେ, ଘରଟିଏ ପାଇବା ଲାଗି ସେ ସରକାରୀ ବାବୁମାନଙ୍କୁ ଅନୁରୋଧ କରିନାହାନ୍ତି ବା’ କାର୍ଯ୍ୟାଳୟକୁ ଦୌଡି ନାହାନ୍ତି । ବରଂ ଘର ପାଇବା ଆଶାରେ ଦୌଡି ଦୌଡି ତାଙ୍କ ଚପଲ ଛିଡି ଗଲାଣି । ହେଲେ କେହି ଶୁଣୁନାହାନ୍ତି । ଫଳରେ ସେହି ଭଙ୍ଗା ଦଦରା ଘରେ ୪ପ୍ରାଣୀ ଭଗବାନଙ୍କୁ ଭରସା କରି ପଡି ରହିଛନ୍ତି । ଆମେ କହୁଛୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାଡୁଗୁଡା ଗାଁର ମଙ୍ଗଦେଇ ଜାନୀଙ୍କ କଥା ।
ଯାହାଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ ହେବନି । ଭଗବାନ ବି ତାଙ୍କ ସୁଖ ଦେଖିପାରିଲେ ନାହିଁ । ଯାହା ହାତ ଧରିଥିଲେ ୩ବର୍ଷ ତଳେ ଭଗବାନ ବି ତାଙ୍କୁ ନେଇଗଲେ । ଏବେ ୨ଝିଅ ଓ ଗୋଟିଏ ପୁଅକୁ ନେଇ ମଙ୍ଗଦେଇଙ୍କ ସଂସାର । ପର ଘରେ ମୁଲ ଲାଗିଲେ ହିଁ ଯାଇ ପରିବାରର ପେଟ ପୁରେ । ଯଦିଓ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଚାଉଳ ଓ ଭତ୍ତା ମିଳୁଛି ତାହା ଅଣ୍ଟୁନାହିଁ ବୋଲି ଦୁଃଖର ସହ ଜଣାଇଛନ୍ତି ମଙ୍ଗ ।
ଏପଟେ ପୁଣି ମୁଣ୍ଡ ଗୁଞ୍ଜିବାକୁ ରହିଥିବା ଘରର ଅବସ୍ଥା ବାର ବାଜିଗଲାଣି । ଶୀତଦିନରେ ତ’ ଚାଳବାଟେ କୁହୁଡି ମାଡି ବସୁଛି । ବର୍ଷାଦିନ କଥା ଭାବିଲା ବେଳକୁ ମଙ୍ଗଙ୍କ ଚିନ୍ତା ଆହୁରି ବଢ଼ିଯାଉଛି । ଘରର ଅବସ୍ଥା ଦେଖି ଏବେ ସରିସୃପଙ୍କ ଭୟ ବି ସବୁବେଳେ ଘାରୁଥିବା ମଙ୍ଗ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ଘରଟିଏ କେମିତି ହୋଇପାରିବ ସେନେଇ ସରକାରଙ୍କ ପାଖରେ ତାଙ୍କ କଥା ପହଁଚାଇବାକୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।
ସାଧାରଣ ନିର୍ବାଚନକୁ ନେଇ ଏବେ ରାଜ୍ୟ ସରକାର କାହିଁ କେତେ ଯୋଜନା କରୁଛନ୍ତି । ଥିଲା ଘର ଲୋକଙ୍କୁ ବି ଢ଼ାଳି ପକାଉଛନ୍ତି । ଆଶା କରିବୁ ଏହି ରିପୋର୍ଟ ପଢ଼ିବା ପରେ ମଙ୍ଗଙ୍କ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବେ । ଘୋଷଣା ହେଉଥିବା ଯୋଜନା ସବୁ ମଙ୍ଗଙ୍କ ପରି ଲୋକଙ୍କ ଲାଗି ବାସ୍ତବ ରୂପ ନେବ ଏହା ହିଁ ଆମର ବିଶ୍ୱାସ…..