କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଘୋଷଣା ହୋବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।ଏଣୁ ନେତାଙ୍କୁ ରାତିରେ ନିଦ ହେଉ ନଥିବା ବେଳେ ଜନତାଙ୍କ ଟୁପୁରୁ ଟାପୁରୁ ବଢ଼ିବାରେ ଲାଗିଛି । କିଏ ପାଇବ ଟିକେଟ? କାହାର କଟିବ ଟିକେଟ? ଆଗରୁ ନିର୍ବାଚିତ ହୋଇ କିଛି କରି ନାହାଁନ୍ତି । ନୂଆ ମୁହଁ ଭିଡକୁ ନୁହେଁ । ଏଭଳି ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ଜନସାଧାରଣରେ । ତେବେ ଏଥିରୁ ବାଦ ପଡିଛି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର । ବେଘର ହୋଇ ବୁଲୁଥିବା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ସରଗରମ ହୋଇ ଉଠିଛି କେନ୍ଦ୍ରପଡା ରାଜନୀତି ।
ତେବେ ଏଠାରେ ବିଜେପି ଯଦି ପୂର୍ବତନ ସାଂସଦଙ୍କୁ ପ୍ରାର୍ଥୀ କରେ ତେବେ ବୈଜୟନ୍ତଙ୍କୁ ଟକ୍କର ଦେଲା ଭଳି ନେତାଙ୍କୁ ଖୋଜୁଛି ବିଜେଡି । ପ୍ରଥମେ ଚର୍ଚ୍ଚା ହେଉଥିଲା କି ଏଠାରେ ପ୍ରତାପ ଜେନାଙ୍କୁ ଦଳ ପ୍ରାର୍ଥୀ କରିବ ଏବଂ ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ସେ ହିଁ ଯୋଗ୍ୟ ପ୍ରାର୍ଥୀ । କିନ୍ତୁ ପ୍ରତାପଙ୍କ ମନ ଦିଲ୍ଲୀ ସଂସଦରେ ନରହି ବିଧାନସଭାରେ ଥିବା ଶୁଣିବାକୁ ମିଳିଥିଲା । ତେବେ ବିଜେଡିର ପାୱାର କରିଡରରେ ଥିବା ପ୍ରତାପଙ୍କ କଥାର ଦମ ରହିଛି ଦଳରେ । ଏଣୁ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଯାଇଛି ।
ଅପରପକ୍ଷରେ ବିଜେଡିକୁ କେନ୍ଦ୍ରାପଡା ପ୍ରାର୍ଥୀ ଚିନ୍ତା ଜୋରରେ ଘାରିଥିବା ବେଳେ ଏବେ କୁଆଡେ ଅଭିନେତାରୁ ନେତା ହୋଇଥିବା ଅନୁଭବ ମହାନ୍ତି ଏଠାରେ ସାଂସଦ ଭାବରେ ବୈଜୟନ୍ତଙ୍କ ପ୍ରତିଦ୍ୱନ୍ଦି ହେବେ ବୋଲି ଶୁଣିବାକୁ ମିଳୁଛି । ତେବେ ଅନୁଭବ ହିଁ ବୈଜୟନ୍ତଙ୍କୁ କଡା ଟକ୍କର ଦେଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦୀର୍ଘ ଦିନର ରାଜନୈତିକ ଦକ୍ଷତା ଏବଂ ସଂସଦୀୟ କ୍ଷେତ୍ରରେ ଲୋକ ପ୍ରିୟତା ରହିଥିବା ବୈଜୟନ୍ତଙ୍କ ଆଗରେ ଅନୁଭବଙ୍କ ସତ୍ତା କଣ ହେବ ତାହା ସମୟ କହିବ । ସେପଟେ ଅନୁଭବ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟାରେ କହିଛନ୍ତି କି ଦଳର ସୁପ୍ରିମୋ ଯଦି ମୋ ଉପରେ ଭରଷା ରଖି ସେଠାରେ ଟିକେଟ ଦିଅନ୍ତି ତେବେ ମୁଁ ଲଢ଼ିବା ପାଇଁ ରାଜି ।