ପୁରୀ,(ଏଟିଆରବ୍ୟୁରୋ): ପୁରୀ ଏମଆର ମଠ ଉଚ୍ଛେଦ ସମୟରେ ସାମ୍ନାକୁ ଆସିଛି ଏକ ଚକିତ କଲା ଭଳି ଦୃଶ୍ୟ । ଠାବ ହୋଇଛି ୬ଥାକିଆ ଭୁତଳ ଘର । ମଠର ତଳ ଭାଗରେ ଥିବା ଏହି ଘର ଆଜକୁ ପ୍ରାୟ ୩ଶହ ବର୍ଷ ତଳର ବୋଲି ଅନୁମାନ କରାଯାଉଛି । ମଠ ଭଙ୍ଗା ବେଳେ ଏହି ଭୁତଳ ଘରର ସନ୍ଧାନ ମିଳିବା ପରେ ଏହାକୁ ଦେଖିବାକୁ ଏବେ ନାହିଁ ନଥିବା ଲୋକଙ୍କ ଭିଡ଼ ଜମୁଛି ।
ରିପୋର୍ଟ ଅନୁସାରେ, ଏହି ଭୁତଳ ଘରେ ଖାଦ୍ୟ, ଶସ୍ୟ ସହ ବହୁ ମୁଲ୍ୟବାନ ସମ୍ପଦ ରହିଥିବା ସୂଚନା ମିଳିଛି । ରାଜରାଜୁଡା ଅମଳରୁ ଥିବା ଏହି ସମ୍ପଦର ଉଚିତ୍ ଆକଳନ ଏଯାବତ୍ କରାଯାଇପାରିନାହିଁ । କୁହାଯାଉଛି ପୂର୍ବରୁ ଦୁର୍ଭିକ୍ଷ ପଡୁଥିବା ବେଳେ ଏହି ଭୁତଳ ଘରେ ଖାଦ୍ୟଶସ୍ୟ ଗଚ୍ଛିତ ରଖାଯାଉଥିଲା । ଏତିକି ନୁହେଁ ବାହ୍ୟ ଶତୃଙ୍କଠୁ ମଧ୍ୟ ରକ୍ଷା ପାଇବା ଲାଗି ଏଠାରେ ଅମୁଲ୍ୟ ସମ୍ପଦକୁ ଲୁଚାଯାଉଥିଲା । ତେବେ ଆଜି ଏହି ଭୁତଳ ଘରର ସନ୍ଧାନ ମିଳିବା ପରେ ଏବେ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ପହଞ୍ଚିଛନ୍ତି । ଏହାର କାରଣ ବର୍ଷ ବର୍ଷ ହେବ ଘରଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଯୋଗୁଁ ସାପ ଓ ଚେମିଣି ରହିଥିବା ନଜରକୁ ଆସୁଛି । ସେପଟେ ଭୁତଳ ଘରକୁ ବିଜୁଳି ସଂଯୋଗ ମଧ୍ୟ ନାହିଁ ।
ଭିତରକୁ ପ୍ରଥମେ ଆଲୋକୀକରଣ କରିବା ଲାଗି ଚେଷ୍ଟା କରାଯାଉଥିବା ବେଳେ ଭିତରେ କ’ଣ କ’ଣ ସବୁ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରି ନାହିଁ । ଏମଆର ମଠରୁ ଭୂତଳ ଘର ସନ୍ଧାନ ମିଳିବା ପରେ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଭୂତଳ ଘର ଦେଖିବାକୁ ଏବେ ଲୋକେ ରୁଣ୍ଡ ହେଲେଣି । ଆଜି ସକାଳୁ ଏମଆର ମଠ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା । ୪ମହଲା ଏହି ମଠର ପ୍ରଥମେ ଉପର ମହଲାରୁ ଉଚ୍ଛେଦ ପ୍ରକ୍ରୀୟା ଆରମ୍ଭ କରାଯାଇଥିବା ବେଳେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏମଆର ମଠ ସମେତ ଆହୁରି ୭ଟି ମଠ ଭଙ୍ଗାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।