ଲଣ୍ଡନ (ଏଟିଆର ବ୍ୟୁରୋ); ଆରମ୍ଭ ହୋଇ ଯାଇଛି କ୍ରିକେଟ ମହାକୁମ୍ଭ । ବିଶ୍ୱକପରେ ସବୁ ଦଳ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ତେବେ ଶନିବାର ଅନୁଷ୍ଠିତ ହୋଇଥିବା ଦୁଇଟି ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିଜୟ ହୋଇଛନ୍ତି । ବିଜୟରୁ ଉଭୟ ଦଳ ବିଶ୍ୱକପ ଯାତ୍ରା ଆରମ୍ଭ କରିଛନ୍ତି । ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ବଡ ବିଜୟ ହାସଲ କରିଥିବା ବେଳେ ଆଫଗାନୀସ୍ଥାନକୁ ୭ୱିକେଟରେ ହରାଛି କଙ୍ଗାରୁ ବାହିନୀ ।
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୯ ଓଭର ଦୁଇଟି ବଲରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୬ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କେବଳ କରୁଣାର୍ଥେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳର ଅଠଜଣ ଖେଳାଳି ଦୁଇ ଅଙ୍କ ଛୁଇଁନଥିଲେ । ୧୩୭ ରନର ବିଜୟ ଲକ୍ଷ୍ୟକୁ କ୍ୟୁଇ ଦଳ ୧୬ ଓଭରରେ ପୂରଣ କରିଥିଲା । ଦୁଇ ଓପନର ବ୍ୟାଟ୍ସମ୍ୟାନ ମ୍ୟାଚ ବିଜୟ କରିଥିଲେ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଗୁପଟିଲ ୭୩ ରନ କରିଥିବା ବେଳେ ମୁନରୋ ୫୮ ରନ କରିଥିଲେ ।
ଆଫଗାନିସ୍ଥାନ ପ୍ରଥମେ ବ୍ୟାଟିଂ କରି ୩୮ ଓଭର ଦୁଇ ବଲରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିଥିଲା । ଶକ୍ତିଶାଳୀ ଅଷ୍ଟ୍ରେଲିଆ ଆଗରେ ତିଷ୍ଠି ପାରିନଥିଲେ ଆଫଗାନୀସ୍ଥାନ ବ୍ୟାଟ୍ସମ୍ୟାନ । ୨୦୮ ରନର ବିଜୟ ଲକ୍ଷ୍ୟ ପାଇଁ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇଥିଲା । ୩୪ ଓଭର ୫ଟି ବଲରେ ଦଳ ବିଜୟ ହୋଇଥିଲା । ଦୀର୍ଘ ୧ବର୍ଷ ପରେ ଆନ୍ତର୍ଜାତିକ ଦଳରେ ସ୍ଥାନ ପାଇଥିବା ୱାର୍ଣ୍ଣର ସର୍ବାଧିକ ୮୯ ରନ କରିଥିଲେ ।