କରାଚି (ଏଟିଆର ବ୍ୟୁରୋ ) ; ଚୀନ ଦୂତାବାସ ଉପରେ ଆକ୍ରମଣ । ପାକିସ୍ତାନ ମାଟିରେ ଚୀନ ଦୂତାବାସ ଉପରେ ଆତଙ୍କୀ ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୨ ଜଣ ପୋଲିସ ନିହତ ହୋଇଥିବା ବେଳେ ଆକ୍ରମଣକାରୀ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ଖବର ଅନୁସାରେ , ପାକିସ୍ତାନର କରାଚି ଠାରେ ଥିବା ଚୀନ ଦୂତାବାସକୁ ୪ ଜଣ ଶସସ୍ତ୍ର ଆତଙ୍କବାଦୀ ପଶିବାର ଉଦ୍ୟମ କରିଥିଲେ ହେଁ ଚେକ ପଏଣ୍ଟରେ ସେମାନେ ନଜରକୁ ଆସିଥିଲେ । ଏହାପରେ ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇଜଣ ପୋଲିସ ନିହତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।
ଅନ୍ୟପଟେ ଆକ୍ରମଣ କରିସାରିବା ପରେ ୪ ଜଣ ଆତଙ୍କୀ ସେହି ସ୍ଥାନରୁ ଖସିପଳାଇଯିବାରେ ସକ୍ଷମ ହୋଇଛନ୍ତି । ସୂଚନାଯୋଗ୍ୟ , ପାକିସ୍ତାନରେ ଚୀନ ପକ୍ଷରୁ ଚାଲୁରହିଥିବା ପ୍ରକଳ୍ପକୁ ବଲୁଚିସ୍ତାନର ବଲୁଚିସ୍ତାନ ଲିବରେସନ ଆର୍ମି ନାମକ ଗୋଟିଏ ବିଦ୍ରୋହୀ ଗୋଷ୍ଠୀ ବିରୋଧ କରିଆସୁଛି । ପାକିସ୍ତାନ ଓ ଚୀନ ମଧ୍ୟରେ ଥିବା ଅର୍ଥନୀତିକ କରିଡର ନିକଟରେ ବଲୁଚିସ୍ତାନ ରହିଥିବାରୁ ସେଠାକାର ଲୋକମାନଙ୍କ ସହ କିଛି ବିଦ୍ରୋହୀ ଗୋଷ୍ଠୀ ଏହାକୁ ବିରୋଧ କରିଆସୁଛନ୍ତି । ସେଠାକାର ଅଞ୍ଚଳ ଚୀନ ପାକିସ୍ତାନ ମଧ୍ୟରେ ଥିବା ଅର୍ଥନୀତିକ କରିଡର ପାଇଁ ପ୍ରଭାବିତ ହେଉଥିବା ଅଭିଯୋଗ ମଧ୍ୟ ହେଉଛି ।
ତେବେ ଖାସ କରି ବଲୁଚିସ୍ତାନରେ ଖଣିଜ ସମ୍ପଦ ଭର୍ତ୍ତି ହୋଇରହିଥିବାରୁ ଏହା ଉପରେ ଚୀନ ଲୋଭ କରୁଛି । ଯାହାକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଆକ୍ରମଣ ପାଇଁଁ ବଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ବଲୁଚିସ୍ତାନ ଲିବରେସନ ଆର୍ମି କରିଥିବା ମାନିଛନ୍ତି ଖୋଦ ଲିବରେସନ ଆର୍ମିର ମୁଖପାତ୍ର ଜିଆଣ୍ଡ ବାଲୋଚ । ଖାଲି ସେତିକି ନୁହେଁ ଏପରି ଆକ୍ରମଣ ବାରମ୍ବାର ହେବ ବୋଲି ବାଲୋଚ ଧମକ ମଧ୍ୟ ଦେଇଛନ୍ତି ।