କଟକ(ଏଟିଆର ବ୍ୟୁରୋ): ଆଖିକୁ ଭଲଭାବରେ ଦୁଶୁନି କି କାନକୁବି ଠିକ ଭାବରେ ଶୁଣାଯାଉନି । ତଥାପି ଆମେ ହାରିନୁ କି କାହା ଉପରେ ବୋଝ ହେବୁନି । ବଡ ହେଲେ ଆମେ ଠିଆ ହବୁ ଆମ ନିଜ ଗୋଡରେ । ବଞ୍ଚିବା ପାଇଁ ଆମେ କେବେ ଖୋଜିବୁନି କାହାର ସାହାରା । ଏମିତି ଆଖିରେ ଅସୁମାରୀ ସ୍ୱପ୍ନନେଇ ସେମାନେ ଗଢୁଛନ୍ତି ନିଜ ପାଇଁ ସ୍ୱପ୍ନର ମହଲ । ଆମେ କହୁଛୁ କଟକ ମେଡିକାଲ ରୋଡ୍ ସ୍ଥିତ ସହାୟ ଆବାସିକା ସ୍କୁଲର କଥା । ଯେଉଁ ସ୍କୁଲରେ ପାଦରଖୁ ରଖୁ ଏମିତି କିଛି କଥା କାନରେ ବାରମ୍ବାର ଗୁଞ୍ଜରିତ ହୋଇଥାଏ ।
ଏ ସ୍କୁଲକୁ ଆମେ ଏଥିପାଇଁ ନିଆରା କହୁଛୁ କାରଣ ଏ ସ୍କୁଲରେ ଆମ ମାନଙ୍କ ଭଳି ସାଧାରଣ ପିଲା ପାଠ ପଢନ୍ତି ନାହିଁ । ବରଂ ଏଠାରେ ଭିନ୍ନ କ୍ଷମ , ମାନସିକ ବିକୃତ, ଶ୍ରବଣ ଶକ୍ତି ଓ ବାକ ଶକ୍ତି ହରାଇଥିବା କୁନି କୁନି ପିଲାମାନେ ପାଠ ପଢନ୍ତି । ଯେଉଁଠି ପିଲାମାନଙ୍କୁ ୫ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ପାଠ ପଢା ସହିତ ନିଜେ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ କରାଯାଇଥାଏ ।
୧୯୯୧ ମମିହାରେ ରାଜ୍ୟ ସରକାର ଓ ରେଡକ୍ରସର ମିଳିତ ସହଯୋଗରେ ସହାୟ ନାମକ ଏହି ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହୁଏ । ମାତ୍ର ସେତେବେଳ ୮ଜଣ ମାନସିକ ବିକୃତ, ବାକ ଶକ୍ତି ଓ ଶ୍ରବଣ ଶକ୍ତି ହରାଥିବା ଛୋଟ ପିଲା ମାନଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହୋଇଥିଲା । ତେବେ କିଛି ବର୍ଷ ପରେ ପିଲା ସଂଖ୍ୟା ବଢିବା ପରେ ଏଠାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଗଲା । ପ୍ରଥମେ ଫାଇଲ ସେଟିଙ୍ଗ, ବୁଣା କାର୍ଯ୍ୟ ଆଦି ଶିକ୍ଷା ଦିଆଗଲା । ହେଲେ ପରେ ଯେତେବେଳ ପିଲାସଂଖା ବଢିଲା ସେତେବେଳ ଆଉ କିଛି କାର୍ଯ୍ୟ ହାତକୁ ନିଆଗଲା । ବର୍ତ୍ତମାନ ପିଲାମାନଙ୍କୁ ବିୟୁଟି ପାର୍ଲର, ସିଲେଇ, ନୃତ୍ୟ, ସଂଙ୍ଗୀତ, କମ୍ପ୍ୟୁଟର, ଆଦି ଶିକ୍ଷା ପ୍ରଦାନ କରାଯାଉଛି ।
ଏହି ପିଲାମାନେ କିଭଳି ବଡହେଲେ ନିଜ ଗୋଡରେ ନିଜେ ଠିଆ ହୋଇ ଦି-ପଇସା ରୋଜଗାର କରିପାରିବେ ସେନେଇ ସେମାନଙ୍କୁ ପୂରା ପ୍ରଶିକ୍ଷଣ ଦିଆଯାଉଛି ।ଅନ୍ୟପଟେ ପିଲାମାନେ ମଧ୍ୟ ବେଶ୍ ଆନନ୍ଦ ଓ ଉତ୍ସାହର ସହିତ ହସ,ଖେଳ ,ନାଚ , ଗୀତ ମାଧ୍ୟମରେ ଶିକ୍ଷକ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳେ ।