ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଓଡିଶାର ସୁଖ୍ୟାତ ସୃଜନଶୀଳ ଫଟୋଗ୍ରାଫି ଗୃପ୍ ‘ଟିଲଟେଡ ଲେନ୍ସ’ ଇତି ମଧ୍ୟରେ ନିଜର କ୍ୟାଲେଣ୍ଡର ‘ଶ୍ରୀଜନ’ର ଦ୍ୱିତୀୟ ସଂସ୍କରଣ ବିଷୟରେ ଘୋଷଣା କରିଛି । ୨୦୧୭ରେ ପ୍ରକାଶ ପାଇଥିବା ପ୍ରଥମ ସଂସ୍କରର ସମାଜରେ ସବୁ ଶ୍ରେଣୀ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏହି ସଫଳତାକୁ ଭିତ୍ତି କରି ‘ଟିଲଟେଡ ଲେନ୍ସ’ ନିଜର ଦ୍ୱିତୀୟ ସଂସ୍କରଣ ଆଡକୁ ଅଗ୍ରସର ହେଉଛି ।
ପ୍ରକାଶ ଥାଉକି, ପ୍ରଥମ ସଂସ୍କରଣରେ ସମାଜର ବିଭିନ୍ନ ସାମାଜିକ କୁପ୍ରଥା ତଥା ଅସାମାଜିକ ସମସ୍ୟା ଓ ଘଟଣାବଳୀକୁ ତୁଳନାତ୍ମକ ଭାବେ ପ୍ରକାଶ କରାଯାଇଥିଲା । ଏହାର ଚାହିଦା ଏଭଳି ଥିଲା ଯେ ବିଦେଶରୁ ମଧ୍ୟ କିଛି ବ୍ୟକ୍ତି ବିଶେଷ ଏହାର ଗୋଟିଏ କପି ପାଇବା ପାଇଁ ମନ ବଳାଇଥିଲେ । ସୁନାମଧନ୍ୟ ଓଲିଉଡ ତାରକାମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି କ୍ୟାଲେଣ୍ଡର ବହୁ ମାର୍ମିକ ଦୃଷ୍ଟି ଭଙ୍ଗିରେ ସାମାଜିକ ସମସ୍ୟା ଯଥା ଏସିଡ୍ ମାଡ, ସୋସିଆଲ ମିଡିଆର ଦୁଷ୍ପ୍ରଭାବ, ନାରୀ ନିର୍ଯ୍ୟାତନା ଏବଂ ପରିବେଶ ପ୍ରଦୂଷଣକୁ ପରିବେଷଣ କରାଯାଇଥିଲା ।
ସେଥିରେ ଥିବା ତାରକା ହେଲେ ଭୂମିକା ଦାସ, ଦେବସ୍ମିତା ପଣ୍ଡା, ପୁପୁଲ ଭୂୟାଁ, ଦୀପିକା ତ୍ରିପାଠୀ, ନିହାରିକା ଦାସ, ଅଙ୍କିତ୍ ଦଳବେହେରା ଏବଂ ଜ୍ୟୋତିପ୍ରକାଶ ପଣ୍ଡା । ଏମାନଙ୍କ ବ୍ୟତୀତ ମଡେଲିଂ ଇଣ୍ଡଷ୍ଟ୍ରିରୁ କିଛି ନୂଆ ଚେହେରା ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେମାନେ ହେଲେ ଶୈଲୀ, ସୁଧାଶ୍ରୀ ଏବଂ ଅମ୍ରିତା ।
ଗତକାଲି ଏକ ପ୍ରେସ ବିଜ୍ଞପ୍ତିରେ ଏହାର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଶ୍ରୀ ଅମନ ଅଗ୍ରୱାଲ ଏହି ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ‘ପାଖାପାଖି ଗୋଟିଏ ବର୍ଷର ପ୍ରସ୍ତୁତି ପରେ ଆମେ ଦ୍ୱିତୀୟ ସଂସ୍କରଣ ଆଡକୁ ଅଗ୍ରସର ହେଉଛୁ । ଆଶା କରୁଛି ଏ ବର୍ଷ ମଧ୍ୟ ଜନସାଧାରଣ ଆମର ଏହି ପ୍ରଚେଷ୍ଟାକୁ ଗ୍ରହଣ କରିବେ ।’
ପ୍ରେସ୍ ମିଟରେ ଅନ୍ୟମାନଙ୍କ ମଧ୍ୟରେ ‘ଟିଲଟେଡ ଲେନ୍ସ’ର ପ୍ରତିଷ୍ଠାତା ତଥା କ୍ୟାଲେଣ୍ଡରର ନିର୍ଦ୍ଦେଶକ ଶ୍ରୀ ଶାଶ୍ୱତ ଶେଖର ଷଡଙ୍ଗୀ ତଥା ସହ ପ୍ରତିଷ୍ଠାତା ଶ୍ରୀ ରମାକାନ୍ତ ପଟେଲ ଉପସ୍ଥିତ ଥିଲେ । ଶ୍ରୀ ଷଡଙ୍ଗୀ କହିଲେ କି, ‘ସମାଜର ବିଭିନ୍ନ ସମସ୍ୟାକୁ ଏକ ତୁଳନାତ୍ମକ ଭଙ୍ଗୀରେ ଲୋକଲୋଚନକୁ ଆଣିବାକୁ ଆମର ଏହି ପ୍ରୟାସ । କଳାର କିଛି ଅନ୍ତରାଷ୍ଟ୍ରିୟ ସିଦ୍ଧାନ୍ତକୁ ନେଇ ଆମେ ଏଥର ଫ୍ରେମ ଗୁଡିକୁ ପ୍ରସ୍ତୁତ କରିଛୁ’ ।
ଏହି କ୍ୟାଲେଣ୍ଡର ବହୁ ନବାଗତ ମଡେଲ, ଡିଜାଇନର ତଥା ମେକ୍ଅପ୍ ଆର୍ଟିଷ୍ଟ ମାନଙ୍କୁ ନିଜର ପରିପ୍ରକାଶ କରିବାକୁ ସୁଯୋଗ ଦେବ ବୋଲି ଶ୍ରୀ ପଟେଲ ଆଶା ପ୍ରକାଶ କରିଛନ୍ତି ।
ଆସନ୍ତା ଜୁନ୍ ମାସଠାରୁ ଏହାର ସୁଟିଂ ଆରମ୍ଭ ହେବ ଏବଂ କ୍ୟାଲେଣ୍ଡରର ଉନ୍ମୋଚନ ଡିସେମ୍ବରରେ ହେବାର ଯୋଜନା ରହିଛି । ଏଟିଆର ନ୍ୟୁଜ୍ ଏହାର ପ୍ରୟୋଜକ ରହିଛି ।
ସୂଚନା ଯୋଗ୍ୟ କି ‘ଟିଲଟେଡ ଲେନ୍ସ’ଗୃପର ସଭ୍ୟମାନେ ପେଶାଦାର ଫଟୋଗ୍ରାଫର ନୁହଁନ୍ତି ବରଂ ଫଟୋଗ୍ରାଫି ସେମାନଙ୍କର ହବି । ନିଜର ହବିକୁ ଏହି ସ୍ତରରେ ପହଁଞ୍ଚାଇ ସେମାନେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।